Categories: ଖେଳ

ଆଶେସ ସିରିଜ ଲାଗି ଅଷ୍ଟ୍ରେଲିଆ ଦଳର ମେଣ୍ଟର ଓ୍ବ

ସିଡ୍‌ନୀ,୪।୭(ଏଏଫ୍‌ପି)- ଇଂଲଣ୍ଡରେ ୧୮ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ଆଶେସ ସିରିଜ୍‌ ଜିତିବା ଲକ୍ଷ୍ୟ ରଖିଛି। ଏଥିଲାଗି ପୂର୍ବତନ ଅଧିନାୟକ ଷ୍ଟିଭ ଓ୍ବଙ୍କୁ ଦଳର ମେଣ୍ଟର ଦାୟିତ୍ୱ ଦିଆଯାଇଛି। ଓ୍ବଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୦୧ରେ ଅନ୍ତିମ ଥର ଇଂଲଣ୍ଡରେ ଆଶେସ ସିରିଜ୍‌ ଜିତିଥିଲା। ଏଣୁ ତାଙ୍କୁ ଦଳର ସହାୟତା ଲାଗି ମେଣ୍ଟର ଭାବେ ନିଯୁକ୍ତ କରାଯାଇଥିବା ଟେଷ୍ଟ ଅଧିନାୟକ ଟିମ ପେନ କହିଛନ୍ତି। ଓ୍ବ ୬ ସପ୍ତାହ ଧରି ଦଳ ସହ ରହିବେ। ଏହା କୋଚ୍‌ ଜଷ୍ଟିନ ଲାଙ୍ଗର ଓ ମୁଁ ଚାହୁଁଥିଲୁ। ପୂର୍ବତନ କିମ୍ବଦନ୍ତୀ ଖେଳାଳି ଦଳ ସହ ରହିବା ଦ୍ୱାରା ଦଳୀୟ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଏ, ଯାହା କି ଚଳିତ ବିଶ୍ୱକପ୍‌ରେ ଦେଖିବାକୁ ମିଳୁଛି। ଆମ ନିକଟରେ ରିକି ପଣ୍ଟିଂ ଅଛନ୍ତି। ଆଉ ଏବେ ଓ୍ବଙ୍କ ଭଳି କିମ୍ବଦନ୍ତୀ ଦଳରେ ଥିବାରୁ ଆମେ ଭାଗ୍ୟବାନ ଅନୁଭବ କରୁଛୁ ବୋଲି ଅଧିନାୟକ ପେନ କହିଛନ୍ତି। ପ୍ରଖ୍ୟାତ ଖେଳାଳି ଓ୍ବ ୧୬୮ ଟେଷ୍ଟ ଖେଳିଛନ୍ତି। ତାଙ୍କ ନାମରେ ୩୨ ଟେଷ୍ଟ ଶତକ ରହିଛି। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟ ଅଗଷ୍ଟ ୧ ତାରିଖରୁ ଏଡ୍‌ଜବଷ୍ଟନଠାରେ ଖେଳାଯିବ।

Share