ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ: ବିନା ବ୍ୟାଟେରି, ବିଦ୍ୟୁତ୍‌ରେ ବାଜୁଛି ରେଡିଓ

ପୁରୀ ଅଫିସ,୨୬ା୫: ବର୍ତ୍ତମାନ ରେଡିଓର ଆଉ ଚାହିଦା ନାହିଁ। ଟିଭି, ମୋବାଇଲ ଯୁଗରେ ରେଡିିଓ ଏକପ୍ରକାର ଅଦରକାରୀ ହୋଇପଡ଼ିଛି। ହେଲେ ଏମିତି ଅଲୋଡ଼ା ପଡିଥିବା ଏକ ରେଡ଼ିଓରେ ଦେଖିବାକୁ ମିଳିଛି ଚମତ୍କାରିତା। ବିନା ବ୍ୟାଟେରି ଏବଂ ବିଦ୍ୟୁତ୍‌ରେ ବାଜୁଛି ରେଡିିଓ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୁରୀ ସହର ମାଟିଆପଡ଼ା ରାଧାକୃଷ୍ଣ ଲେନ୍‌ର ଉମାକାନ୍ତ ରଥଙ୍କ ଘରେ ଘଟିଛି ଏପରି ଏକ ଚମତ୍କାରିତା। ବାତ୍ୟାରେ ତାଙ୍କ ଘର ର଼୍ୟାକ୍‌ ଉପରୁ ତଳେ ପଡ଼ି ଭାଙ୍ଗିଯିବା ପରେ ସେବେଠାରୁ ରେଡ଼ିଓ ବାଜୁଛି। ଏହି କଥା ପ୍ରଘଟ ହେବା ପରେ ଆଖପାଖର ଲୋକେ ଉମାକାନ୍ତଙ୍କ ଘରେ ପହଞ୍ଚତ୍ ଏହାର ସତ୍ୟତା ପରଖୁଛନ୍ତି।

ବାତ୍ୟା ‘ଫନୀ’ ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ପରେ ପୁରୀ ଜିଲାବାସୀ ଭୟଭୀତ ହୋଇପଡ଼ିିଥିଲେ। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ କଡ଼ରେ ରହୁଥିବା ଉମାକାନ୍ତଙ୍କ ପରିବାର ବି ସତର୍କ ହୋଇପଡିଥିଲେ। ବିଦ୍ୟୁତ୍‌ କଟିଯିବ, ତେଣୁ ଟିଭି ଚାଲିବନି। ବାତ୍ୟା ବିଷୟରେ ଜାଣିବା ପାଇଁ ଘରେ ଥିବା ଏକ ପୁରୁଣା ରେଡ଼ିଓ ବାହାର କରିଥିଲେ। ସେଥିରେ ୩ଟି ନୂଆ ବ୍ୟାଟେରି ପକାଇବା ପରେ ତାହା ବାଜିଥିଲା। ତେବେ ରେଡିଓରେ ଘଟିଥିବା ଚମତ୍କାରିତା ସମ୍ପର୍କରେ ଉମାକାନ୍ତ କହିଛନ୍ତି, ୨ତାରିଖ ବିଳମ୍ବିତ ରାତିରୁ ବର୍ଷା, ପବନ ଆରମ୍ଭ ହୋଇଥିଲେ ହେଁ ୩ତାରିଖ ଭୋରୁ ପବନର ବେଗ ବଢିଥିଲା। ସକାଳ ପ୍ରାୟ ସାଢେ ୮ଟାରେ ଘର ର଼୍ୟାକ୍‌ ଉପରେ ଥିବା ରେଡିଓଟି ତଳକୁ ଖସିପଡ଼ିଥିଲା। ଫଳରେ ରେଡିଓ ଭାଙ୍ଗିଯିବା ସହ ବ୍ୟାଟେରି ଛିଟିକି ଏଣେତେଣେ ପଡ଼ିଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ବ୍ୟାଟେରି ନ ଥିଲେ ମଧ୍ୟ ରେଡ଼ିଓ ବାଜୁଥିଲା। ପରିବାର ଲୋକେ ଏହା ଦେଖି ହଠାତ୍‌ କିଛି ବୁଝିପାରି ନ ଥିଲେ। ତେବେ କେମିତି କ’ଣ ଭିତରେ ହୋଇଯାଇଥିବ ଭାବି ରେଡିଓକୁ ବନ୍ଦ କରିଦେଲୁ। ତାହା ବନ୍ଦ ହୋଇଗଲା। ହେଲେ ପୁଣି ଅନ୍‌ କରିବାରୁ ଏହା ବାଜିଲା। କିନ୍ତୁ ବ୍ୟାଟେରି ପକାଇ ନ ଥିଲୁ। ଇତିମଧ୍ୟରେ ୨୩ଦିନ ହେଲାଣି, ବିନା ବ୍ୟାଟେରି ଓ ବିଦ୍ୟୁତ୍‌ରେ ରେଡିଓ ବାଜୁଛି।

୧୯୯୮ରେ ୩୫୦ ଟଙ୍କା ଦେଇ ସେ ଏହି ରେଡିଓ କିଣିଥିଲେ। ଟିଭି ଆସିବା ପରେ ୭/୮ ବର୍ଷ ହେବ ରେଡିଓକୁ ଘର ର଼୍ୟାକ୍‌ ଉପରେ ରଖିଦେଇଥିଲେ। ଏହାର କୌଣସି ଆବଶ୍ୟକତା ପଡ଼ି ନ ଥିଲା। ହେଲେ ଏବେ ବିନା ବ୍ୟାଟେରିରେ ରେଡିିଓ ବାଜୁଥିବା ଜାଣିବା ପରେ ଆଖପାଖର ଲୋକେ ତାଙ୍କ ଘରକୁ ଆସି ଏହାକୁ ଦେଖୁଛନ୍ତି। ଏପରି କି ଜଣେ ରେଡିିଓ ମେକାନିକ ମଧ୍ୟ ତାଙ୍କ ଘରକୁ ଆସି ଏହାକୁ ପରଖିଛନ୍ତି। ହେଲେ କେମିତି ବାଜୁଛି ସେ ବି ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ଉମାକାନ୍ତ କହିଛନ୍ତି।

Share