ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ ଗିରଫ, ପୋଲିସର ତଦନ୍ତ ଜାରି

କେନ୍ଦୁଝର,୧୯ା୭ (ସ୍ବ.ପ୍ର.)-କେନ୍ଦୁଝର କାଞ୍ଜିପାଣିରେ ଥିବା ଆଶ୍ରମ ସ୍କୁଲରେ ଛାତ୍ରୀମାନଙ୍କୁ ନିର୍ଯାତନା ଦିଆଯିବା ସହ ଅସଦାଚରଣ କରାଯାଉଛି ା ପ୍ରଧାନଶିକ୍ଷକ ଅଧିକାଂଶ ସମୟରେ ଛାତ୍ରୀମାନଙ୍କୁ ନିଜର ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି ା ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ା ଏନେଇ କାଞ୍ଜିପାଣି ଥାନାରେ ଏକ ମାମଲା (ନଂ.୪୧/୨୦୧୯) ରୁଜୁ ହୋଇଛି ା ଅଭିଯୁକ୍ତ ପ୍ରଧାନଶିକ୍ଷକ ଅର୍ଜୁନ କୁମାର ମହନ୍ତଙ୍କୁ ପୋଲିସ ଗିରଫ କରି ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ା ଆଦିବାସୀ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ଉକ୍ତ ସ୍କୁଲରେ ଏପରି ଘଟଣା ପଦାକୁ ଆସିବା ପରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା
ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ମହନ୍ତ ଛାତ୍ରୀମାନଙ୍କୁ ନିଜ କକ୍ଷକୁ ଡାକି ବିଭିନ୍ନ ପ୍ରକାର କାମ କରାଇବା ସହ ଅସଦାଚରଣ କରିଆସୁଥିଲେ। ଏନେଇ ଜଣେ ଛାତ୍ରୀ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ଏନେଇ ପ୍ରଧାନଶିକ୍ଷକ ତଥା ମାଟ୍ରନଙ୍କୁ ଜଣାଇ ନ୍ୟାୟ ନ ପାଇବାରୁ ଜିଲା ମଙ୍ଗଳ ଅଧିକାରୀଙ୍କ ପାଖରେ ଗତ ବୁଧବାର ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୁରୁବାର ଜିଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଦେବାଙ୍ଗନା ବାରିକ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ। ଅଭିଯୋଗ ସତ୍ୟ ବୋଲି ପ୍ରମାଣ ମିଳିବା ପରେ କାଞ୍ଜିପାଣି ଥାନାରେ ସଂପୃକ୍ତ ଛାତ୍ରୀଙ୍କ ବାପା ଏତଲା ଦେଇଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା ା ଅନ୍ୟପକ୍ଷେ ଦୋଷୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ମଙ୍ଗଳ ଅଧିକାରୀ କହିଛନ୍ତି। କେନ୍ଦୁଝରଠାରୁ ପ୍ରାୟ ୨୫ କି.ମି. ଦୂର କାଞ୍ଜିପାଣିରେ ଉକ୍ତ ଆଶ୍ରମ ବିଦ୍ୟାଳୟ ରହିଛି ା ସେହି ସ୍କୁଲ ହଷ୍ଟେଲରେ ୧୧୦ ଜଣ ଛାତ୍ରୀ ରହୁଛନ୍ତି ା