ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ମାମଲା: ଅଭିଯୁକ୍ତ ରୋଷେୟାଙ୍କୁ ଆଜୀବନ କାରାଦଣ୍ଡ

ମାଲକାନଗିରି, ୨୨।୮ (ଡି.ଏନ୍‌.ଏ.): କୋରୁକୋଣ୍ଡା ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କୁ ଗର୍ଭବତୀ କରିବା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। ମାଲକାନଗିରି ଅତିରିକ୍ତ ଜିଲା ଦୌରାଜଜ୍‌ ପ୍ରଜ୍ଞା ନଳିନୀ ମିଶ୍ର ଅଭିଯୁକ୍ତ ପର୍ଶୁରାମ ପଡିଆମୀଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି। ଅର୍ଥ ଅନାଦାୟରେ ଅଭିଯୁକ୍ତଙ୍କୁ ଅଧିକ ଦୁଇମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍‌ ତାଙ୍କ ରାୟରେ କହିଛନ୍ତି।
ପ୍ରକାଶ ଯେ, ଆଶ୍ରମ ବିଦ୍ୟାଳୟରେ ପଢୁଥିବା ଜଣେ ୫ମ ଶ୍ରେଣୀ ନାବାଳିକାଙ୍କୁ ଉକ୍ତ ବିଦ୍ୟାଳୟର ରୋଷେୟା ଅଭିଯୁକ୍ତ ପର୍ଶୁରାମ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିବା ପୀଡିତାଙ୍କ ବାପା ଥାନାରେ ମାମଲା ରୁଜୁ କରିଥିଲେ।  ଥାନା କେସ୍‌.ନଂ ୬୨/୧୭ ଅନୁଯାୟୀ ଏହି କେସ୍‌ର ୩୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲା ଦୌରାଜଜ୍‌ ଏହି ରାୟ ଶୁଣାଇଥିଲେ। ସନ୍ତୋଷୀ ବାରିକ ଘଟଣାର ତଦନ୍ତ କରିଥିବାବେଳେ ସରକାରୀ ଓକିଲ ଲମ୍ବୋଦର ତୁରୁକ ମାମଲାକୁ ପରିଚାଳନା କରିଥିଲେ।