ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ

ବରଗଡ଼ ଅଫିସ୍‌,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ ବିବାହ କରିଥିବା ସ୍ବାମୀ ତାଙ୍କୁ ଛାଡ଼ି ପଳାଇଛନ୍ତି। ପ୍ରତାରଣା ଦେଇ ଖସି ପଳାଇଥିବା ସ୍ବାମୀଙ୍କୁ ଖୋଜୁଥିବା ବେଳେ ବୁଧବାର ବରଗଡ଼ ସହରର ଭଟ୍‌ଲି ଛକରୁ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି।
ପ୍ରକାଶ ଯେ, ନାବାଳିକାଙ୍କ ପରିବାର ପ୍ରଥମେ ସୋନପୁରରେ ରହୁଥିଲେ। ବାପା ଜଣେ ଟ୍ରକ୍‌ ଡ୍ରାଇଭର। ତେବେ ମା’, ବାପାଙ୍କ ମଧ୍ୟରେ ଝଗଡ଼ା ହେବାରୁ ମା’ କୁଆଡ଼େ ପଳାଇଲେ। ଏହା ପରେ ବାପା ସମ୍ପୃକ୍ତ ନାବାଳିକା ଓ ତାଙ୍କର ଭାଇକୁ ନେଇ ଭେଡ଼େନ ଥାନା ସଂକ୍ରୀଡ଼ା ଗ୍ରାମରେ ଆସି ରହୁଥିଲେ । ତେବେ ସଂକ୍ରୀଡ଼ାରେ ରହିବା ସମୟରେ ବାପା ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଯୋଗୁ ନାବାଳିକା ଜଣକ ଗତବର୍ଷ ଡିସେମ୍ବରରୁ ଘରୁ ପଳାଇ ଯାଇଥିଲେ । ସେତେବେଳେ ଭେଡ଼େନ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ତେବେ ଜିଲା ଶିଶୁ କଲ୍ୟାଣ ସମିତି(ସିଡବ୍ଲ୍ୟୁସି)ଙ୍କୁ ଅବଗତ ନ କରି ପୋଲିସ ନାବାଳିକାଙ୍କୁ ଜିଲାର ଏକ ଆଶ୍ରମରେ ଗତ ଜାନୁୟାରୀ ୨୮ତାରିଖରେ ରଖିଥିଲା। ମାତ୍ର ଉକ୍ତ ଆଶ୍ରମରେ ମଧ୍ୟ ନିର୍ଯାତନା ଦିଆଯାଉଥିବା ଯୋଗୁ ସେଠାରୁ ସେ ଖସି ଆସିଥିଲେ ଏବଂ ପରେ ଆଶ୍ରମ କର୍ତ୍ତୃପକ୍ଷ ପୁଣି ତାଙ୍କୁ ସେଠାକୁ ନେଇ ରଖିଥିଲେ ବୋଲି ନାବାଳିକା କହିଛନ୍ତି। ଆଶ୍ରମ କର୍ତ୍ତୃପକ୍ଷ ଗତମାସ ଫେବୃୟାରୀ ୨ତାରିଖରେ ବରଗଡ଼ର ଜଣେ ଯୁବକଙ୍କ ସହିତ ବିବାହ ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକ୍ରି ଦେଇଥିଲେ। ସମ୍ପୃକ୍ତ ଯୁବକ ତାଙ୍କୁ ଏକ ଭଡ଼ାଘରେ ରଖିଥିଲେ। ହେଲେ ଗତ ୬ଦିନ ହେବ ସେ ମଧ୍ୟ ତାଙ୍କୁ ଛାଡ଼ି କୁଆଡ଼େ ପଳାଇ ଯାଇଥିବା ନାବାଳିକା କହିଛନ୍ତି । ଏ ନେଇ ନାବାଳିକା ପୋଲିସକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ନାବାଳିକା ଏକ ଫ୍ୟାନ୍ସି ଷ୍ଟୋରରେ କାମ କରୁଥିବା ଯୋଗୁ ଏଥିରେ ଫ୍ୟାନ୍ସି ଷ୍ଟୋର ମାଲିକଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି । ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ ନାବାଳିକାଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଛନ୍ତି ।

Share