ଆଷାଢ଼େ ଖୋଲିବ ଜଳଛତ୍ର

ଅନୁଗୋଳ ଅଫିସ୍‌, ୬।୬ – ବୈଶାଖ ଯାଇ ଜ୍ୟେଷ୍ଠ ସରିବାକୁ ବସିଲାଣି। ଆଉ କିଛି ଦିନ ପରେ ଆଷାଢ଼ ପଶିବ। କିନ୍ତୁ ଏଯାଏ ଅନୁଗୋଳରେ ଜଳଛତ୍ର ଖୋଲିଲା ନାହିଁ। ଚଳିତବର୍ଷ ତାପମାତ୍ରାରେ ଅନୁଗୋଳ ଜିଲା ରେକର୍ଡ କରିଥିଲେ ବି ଜଳଛତ୍ର କଥା ମନେ ପଡ଼ିନି ପ୍ରଶାସନର। ଗତ କିଛିଦିନ ତଳେ ଜିଲା ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଜିଲାପାଳ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେବା ପରେ ଏ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ କରୋନା ପାଇଁ ଅଧିକାରୀମାନେ ବ୍ୟସ୍ତ ଥିବାରୁ ଏଥିରେ ବିଳମ୍ବ ହୋଇଥିବା ପ୍ରଶାସନ ସ୍ବୀକାର କରିଛି।
ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରତ୍ୟେକ ଅଞ୍ଚଳରେ ଗ୍ରୀଷ୍ମକାଳୀନ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ତାତିରେ ଆଉଟୁପାଉଟୁ ହେଉଥିବା ଅନୁଗୋଳ ଜିଲାରେ ଏଯାଏ ଜଳଛତ୍ର ଖୋଲାଯାଇ ନାହିଁ। ଗତ ମାର୍ଚ୍ଚରୁ ଶିଳ୍ପନଗରୀ ଅନୁଗୋଳରେ ତାତି ଅନୁଭୂତ ହେଲାଣି। ସକାଳ ୯ଟାରୁ ଖରା ଟାଣ ଧରୁଥିବା ବେଳେ ଗୁଳୁଗୁଳିରେ ଲୋକେ ଦହଗଞ୍ଜ ହୋଇଛନ୍ତି। ମାତ୍ର କରୋନା ଜନିତ କଡ଼ା କଟକଣା ଯୋଗୁ ସେମାନେ ଘରୁ ବାହାରି ନ ଥିବାରୁ ଜଳଛତ୍ରର ଅଭାବ ସେତେଟା ଜଣାପଡ଼ୁ ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ହେବା ଫଳରେ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା। ଜରୁରୀ କାମରେ ଲୋକେ ବାହାରକୁ ବାହାରିଥିଲେ। ଏପରି କି ଜିଲାରେ ଚଳିତବର୍ଷ ଅଂଶୁଘାତରେ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇସାରିଛି। ତଥାପି ଜଳଛତ୍ର ଖୋଲିବାକୁ ପ୍ରଶାସନର ମନେ ପଡ଼ିଲା ନାହିଁ। ଏବେ ମଝିରେ ମଝିରେ ବର୍ଷା ଯୋଗୁ କିଛିଦିନ ହେଲା ଜିଲାରେ ତାତି କମିଛି। ମୌସୁମୀ ମଧ୍ୟ କିଛିଦିନ ମଧ୍ୟରେ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି। ତେଣୁ ଆଷାଢ଼ ପାଦ ଦେବାକୁ ବସିଥିବା ବେଳେ ପ୍ରଶାସନର ଏବେ ଜଳଛତ୍ର କଥା ମନେ ପଡ଼ିବା ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି।
ଏ ସମ୍ପର୍କରେ ଜିଲା କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କରୋନା ପାଇଁ ଜଳଛତ୍ର ଖୋଲିବା ବିଳମ୍ବ ହୋଇଛି। କିନ୍ତୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବାରୁ ଖୁବ୍‌ଶୀଘ୍ର ଜଳଛତ୍ର ଖୋଲାଯିବ।