ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ରାଜ୍ୟ ସଙ୍ଗୀତ

ଭୁବନେଶ୍ୱର, ୮।୬(ବ୍ୟୁରୋ)- ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ଆସନ୍ତା ଶିକ୍ଷାବର୍ଷଠାରୁ ପାଠ୍ୟକ୍ରମରେ ଏହା ସ୍ଥାନ ପାଇବ। ଏ ବର୍ଷ ବହି ବଣ୍ଟନ ସରିଛି। ସୁବିଧା ହେଲେ ସ୍ବତନ୍ତ୍ର ପୁସ୍ତିକା ବଣ୍ଟାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦା୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସଙ୍ଗରେ ସୋମବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଚଳିତବର୍ଷ ବହି ବଣ୍ଟା ହୋଇ ସାରିଛି। ସଙ୍ଗୀତ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭାଗ ପଦକ୍ଷେପ ନେବ। ଯଦି ସୁବିଧା ହୁଏ, ତେବେ ଏବର୍ଷ ସ୍ବତନ୍ତ୍ର ପୁସ୍ତିକା କରି ଦେବାର ବ୍ୟବସ୍ଥା କରାଯିବ। ତେବେ ଏନେଇ ବିଭାଗ ବିସ୍ତୁତ ଅନୁଧ୍ୟାନ ପରେ ନିଷ୍ପତ୍ତି ନେବ। ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତ ଗାନ କରାଯିବ। ଏବେ ବି କିଛି ସ୍କୁଲରେ ଗାନ କରାଯାଉଛି। ହେଲେ ଆସନ୍ତାବର୍ଷ ପାଠ୍ୟକ୍ରମରେ ଏହା ସ୍ଥାନ ପାଇବ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯେଉଁ ଆଧାରରେ କରିବ ସେହି ଅନୁସାରେ ପାଠ୍ୟକ୍ରମରେ ସାମିଲ ହେବ। ପାଠ୍ୟକ୍ରମରେ ସଙ୍ଗୀତ ରହିବା ସହିତ କାନ୍ତକବିଙ୍କ ସମ୍ପର୍କରେ ସୂଚନା ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

Share