Advertisement

ଆସନ୍ତା ବର୍ଷ ନିର୍ମାଣ ହେବ ରାମ ମନ୍ଦିର: ସମ୍ପୂର୍ଣ୍ଣ ହେବାକୁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ସମସ୍ତଙ୍କ ନଜର କେବେ ଓ କେମିତି ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ରେ ଏହାର ନିର୍ମାଣ ଆରମ୍ଭ କରାଯିବ ବୋଲି କୁହାଯାଉଛି। ଆଉ ଏହି ମନ୍ଦିର ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୫ ବର୍ଷ ସମୟ ଲାଗିବ ବୋଲି ଅନୁମାନ କରାଯାଇଛି। ବର୍ତ୍ତମାନ ଯେଉଁଠାରେ ରାମଲଲା ବିରାଜମାନ କରିଛନ୍ତି ସେହିଠାରେ ହିଁ ମନ୍ଦିର ନିର୍ମାଣ କରାଯିବ ବୋଲି ସ୍ଥିର କରାଯାଇଥିବା ଜଣାପଡିଛି। ସେଠାରେ ମନ୍ଦିରର ଗର୍ଭଗୃହ ନିର୍ମାଣ କରାଯିବ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ କରାଯିବ। ଏହି ଟ୍ରଷ୍ଟ ଗଠନ କରିବାକୁ କୋର୍ଟ ୩ ମାସ ସମୟ ଦେଇଥିବା ବେଳେ ଏଥିରେ କିଏ ସଦସ୍ୟ ରହିବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ସୂଚନାଯୋଗ୍ୟ, ୧୯୫୧ରେ ଗୁଜରାଟରେ ଯେମିତି ଚାରିଟେବଲ ଟ୍ରଷ୍ଟ ଗଠନ କରି ସୋମନାଥ ମନ୍ଦିର ନିର୍ମାଣ କରାଯାଇଥିଲା ଅଯୋଧ୍ୟାରେ ମଧ୍ୟ ସେହିପରି ଢଙ୍ଗରେ ରାମ ମନ୍ଦିର ନିର୍ମାଣ କରାଯିବା ଯୋଜନା ରହିଛି। ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଏହି ମନ୍ଦିରର ଡିଜାଇନ ପୂର୍ବରୁ ପ୍ରସ୍ତୁତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share