ଆସନ୍ତା ବର୍ଷ ସୁଦ୍ଧା ଆସିବ କରୋନା ପ୍ରତିଷେଧକ ଟୀକା: ଭାରତ ପାଇଁ ଆବଶ୍ୟକ ୬୦ କୋଟି ଟୀକା

ନୂଆଦିଲ୍ଲୀ,୨୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶର ଗବେଷକମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତିି। କରୋନା ପ୍ରତିଷେଧକ ଟୀକା ଆସନ୍ତା ବର୍ଷ ସୁଦ୍ଧା ଆସିବାର ସମ୍ଭାବନା ରହିଛି। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶିଷ ଝା ମତପୋଷଣ କରିଛନ୍ତି। ବୁଧବାର ରାହୁଲ ଗାନ୍ଧୀଙ୍କ ସହିତ କରୋନା ସଂକ୍ରମଣ ସମ୍ପର୍କରେ ଆଲୋଚନ ସମୟରେ ସେ ଏଭଳି କହିଛନ୍ତି। ପ୍ରତିଷେଧକ ଟୀକା ପ୍ରସ୍ତୁତି ପରେ ଭାରତ ପାଇଁ ୫୦ରୁ ୬୦ କୋଟି ଟୀକାର ଆବଶ୍ୟକତା ରହିବ ବୋଲି ସେ କହିଛନ୍ତି। ଟୀକା ପ୍ରସ୍ତୁତିରେ ଚାଇନା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏଥିରୁ ସୁଫଳ ମଧ୍ୟ ମିଳୁଥିବା କୁହାଯାଉଛି। ହଟ୍‌ସ୍ପଟ୍‌ ଅଞ୍ଚଳରେ ନମୁନା ପରୀକ୍ଷା ଅଧିକ ସଂଖ୍ୟାରେ କରାଗଲେ କରୋନା ଲଢ଼େଇରେ ସୁଫଳ ମିଳିବ ବୋଲି ଆଲୋଚନାରେ ଯୋଗଦେଇ ସ୍ବିଡେନ୍‌ କେରୋଲିସଙ୍କା ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର ଜୋହାନ୍‌ ଗିସେକ୍‌ କହିଛନ୍ତି। ରାହୁଲଙ୍କ କରୋନା ସମ୍ପର୍କରେ ଚର୍ଚ୍ଚା କାର୍ଯ୍ୟକ୍ରମ ଏପ୍ରିଲ୍‌ ୩୦ରୁ ଆରମ୍ଭ ହୋଇଥିଲା। ପ୍ରଥମେ ରାହୁଲ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ସହିତ କରୋନା ସଂକ୍ରମଣ ଉପରେ ଆଲୋଚନା କରିଥିଲେ।

Share