Categories: ଜାତୀୟ

ଆସନ୍ତା ସପ୍ତାହରେ ୪ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୧୭ ତାରିଖରେ ଅବସର ନେବାକୁ ଯାଉଥିଲାବେଳେ ଏହା ପୂର୍ବରୁ ତାଙ୍କ ଖଣ୍ଡପୀଠ ଆସନ୍ତା ସପ୍ତାହରେ ୪ଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିବେ। ନରେନ୍ଦ୍ର ମୋଦି ସରକାରଙ୍କ ରାଫାଲ ଯୁଦ୍ଧବିମାନ କିଣିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ୨୦୧୮ ଡିସେମ୍ବର ୧୪ରେ କ୍ଲିନ୍‌ଚିଟ ଦେଇଥିଲେ। ଏହା ଉପରେ ଦାଏର ରିଭ୍ୟୁ ପିଟିଶନର ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଚୌକିଦାର ଚୋର ହୈ’ କହି ସୁପ୍ରିମକୋର୍ଟରେ ଭୁଲ୍‌ ମତ ରଖିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଅଦାଲତ ଅବମାନନା ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି। ଏହାବ୍ୟତୀତ କେରଳର ସାବରିମାଲା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କ ପ୍ରବେଶ ଅନୁମତି ଉପରେ ରିଭ୍ୟୁ ପିଟିଶନର ରାୟ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ। ସିଜେଆଇଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ପରିସରଭୁକ୍ତ ବୋଲି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ସର୍ବୋଚ୍ଚ ଅଦାଲତର ମହାସଚିବ ଓ ଏହାର କେନ୍ଦ୍ରୀୟ ଜନସମ୍ପର୍କ ଅଧିକାରୀ ୨୦୧୦ରେ ଚ୍ୟାଲେଞ୍ଜ କରିଥିଲେ। ଗତ ଏପ୍ରିଲ ୪ରେ ସିଜେଆଇ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଏହାର ରାୟକୁ ସଂରକ୍ଷିତ ରଖିଥିଲେ। ତାହା ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ଜଣାପଡିଛି।

Share