Categories: ରାଜ୍ୟ

ଆସନ୍ତା ୧୦ ଯାଏ ବର୍ଷା: କ୍ଷତିଗ୍ରସ୍ତ ହେବ ରବି ଫସଲ, ପନିପରିବା ଚାଷ

ଭୁବନେଶ୍ୱର,୬।୨(ବ୍ୟୁରୋ): ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାରଠାରୁ ୧୦ ତାରିଖ ଯାଏ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ଉତ୍ତର କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷକରି ରାଜ୍ୟର ରାୟଗଡ଼ା, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ନୂଆପଡ଼ା ଆଦି ୧୦ ଜିଲାରେ ବର୍ଷା ସମ୍ଭାବନା ରହିଛି। ସେହିଭଳି ଶୁକ୍ରବାର ୧୧ ଜିଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବ। କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ ପବନ ବହିବ। ବର୍ଷା ଛାଡ଼ିବା ପରେ ୨ରୁ ୩ ଦିନ ଯାଏ ଘନ କୁହୁଡ଼ି ଦେଖାଯିବ। ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ୪୪.୪ ମିମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ଷା ଯୋଗୁ ରବିଫସଲ ସହ ପନିପରିବା ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି।

Share