ଆସନ୍ତା ୧୯ରେ ପ୍ରତ୍ୟେକ ପଞ୍ଚାୟତରେ ହେବ ସଭା: ଏପ୍ରିଲ ୧ରୁ ମେ ୧୫ ମଧ୍ୟରେ ହିତାଧିକାରୀଙ୍କୁ ମିଳିବ ୪ ମାସର ଭତ୍ତା, ୩ ମାସର ରାଶନ ସାମଗ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ହାଡଫୁଟି ପରି କରୋନା ପାଇଁ କୌଣସି ଔଷଧ ନାହିଁ। ଏହା ଅତ୍ୟନ୍ତ ସଂକ୍ରାମକ ମଧ୍ୟ। ସଂକ୍ରମଣଠାରୁ ନିଜକୁ ଦୂରେଇ ରଖିବା ସବୁଠାରୁ ବଡ଼ ସୁରକ୍ଷା। ଏଥିପାଇଁ ଘରେ ଅଲଗା ରହିବା ହିଁ ସବୁଠାରୁ ଉପଯୁକ୍ତ ଉପଚାର। ଏହାକୁ ଭୟ କରନ୍ତୁ ନାହିଁ। ନିଜେ ସତର୍କ ରହି, ସଚେତନ ରୁହନ୍ତୁ। କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ଆଗାମୀ ୪ ମାସ ପାଇଁ ଏକକାଳୀନ ପ୍ରଦାନ କରାଯିବ। ଜନସମାବେଶକୁ ସୀମିତ ରଖିବା ନିମନ୍ତେ ଏହି ଟଙ୍କାକୁ ହିତାଧିକାରୀଙ୍କୁ ନିଜ ଗ୍ରାମରେ ହିଁ ପ୍ରଦାନ କରାଯିବ। ଏଥିନିମନ୍ତେ ଆସନ୍ତା ମାର୍ଚ୍ଚ ୧୯ରେ ହେବାକୁ ଥିବା ପ୍ରତ୍ୟେକ ଗ୍ରାମପଞ୍ଚାୟତ ସଭାରେ ଭତ୍ତା ବଣ୍ଟନ ତାରିଖ ଓ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ।

ସେହିଭଳି ଏନ୍‌ଏଫ୍‌ଏସ୍‌ ଆକ୍ଟରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆସନ୍ତା ଏପ୍ରିଲ ୧ରୁ ମେ ୧୫ ଅର୍ଥାତ ୪୫ ଦିନ ମଧ୍ୟରେ ଚାଉଳ, ଗହମ, କିରୋସିନ ଆଦି ଅତ୍ୟାବଶ୍ୟକ ଜିନିଷ ମିଳିବ। କରୋନା ପାଇଁ ଆଗୁଆ ମିଳିବ ୩ ମାସର ରାଶନ। ଏଥିସହ ରାଶନ ଦୋକାନୀମାନଙ୍କୁ ଗହଳି ମୁକ୍ତ ରଖିବା ନିମନ୍ତେ ଏହି ବ୍ୟବସ୍ଥା କରାଯାଉଛି। ତେବେ କରୋନା ସଂକ୍ରାମକ ହୋଇଥିବାରୁ ଇ-ପାସ, ବାୟୋମେଟ୍ରିକ୍‌ ମେଶିନ ବନ୍ଦ ରହିବ। ରାଶନ ଦେବା ଲାଗି ବାୟୋମେଟ୍ରିକ୍‌, ଆଇରିସ ସ୍କାନିଂ ବ୍ୟବହାର ହେବନାହିଁ ବୋଲି ଜଣାପଡ଼ିଛି।

Share