ଆସନ୍ତା ୨୨ରେ ବିମାନରେ ଉଡ଼ିବେ ୪୪ ଦିବ୍ୟାଙ୍ଗ ପିଲା

ଭୁବନେଶ୍ୱର,୨୦।୧(ବ୍ୟୁରୋ): ବିମାନରେ ଉଡିବେ ଦିବ୍ୟାଙ୍ଗ ପିଲା। ଦୂର ଦିଗ୍‌ବଳୟରୁ ଦୁନିଆକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍‌ଜିଓ ସଂସ୍ଥା ଏପରି ବ୍ୟବସ୍ଥାର ଆୟୋଜନ କରିଛି। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୪୪ଜଣ ଦିବ୍ୟାଙ୍ଗ ପିଲା ଆସନ୍ତା ୨୨ତାରିଖରେ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଉଡ଼ାଣର ମଜା ନେବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ୪୪ଜଣଙ୍କ ମଧ୍ୟରୁ ୨୩ ଜଣ ପୁଅ ଏବଂ ୨୧ଜଣ ଝିଅ ଅଛନ୍ତି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସକାଳ ୯ଟା ୨୫ମିନିଟ୍‌ରେ ଏହି ପିଲାମାନେ ଉଡ଼ାଣ ଆରମ୍ଭ କରିବେ। ଆକାଶରେ ପ୍ରାୟ ୪୦ମିନିଟ୍‌ ପର୍ଯ୍ୟନ୍ତ ଉଡ଼ାଣର ମଜା ନେବେ। ଏନେଇ ଉଷା ପାଢୀ ସୂଚନା ଦେଇଥିବାବେଳେ ଟୁଇଟ୍‌ ଯୋଗେ ଏୟାର ଇଣ୍ଡିଆ ସିଏମ୍‌ଡି ଏବଂ ଆଲିଆନ୍ସ ଏୟାରର ସିଇଓଙ୍କୁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶା ସରକାରଙ୍କ ପ୍ରଶଂସନୀୟ ଉଦ୍ୟମ ପାଇଁ ଉଷା ପାଢୀ ଧନ୍ୟବାଦ ଜଣାଇଛନ୍ତି।

Share