Categories: ରାଜ୍ୟ

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ: କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଲଘୁଚାପ ଧୀରେ ଧୀରେ ଘନିଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବା ପରେ ପୁଣି ଉତ୍ତର-ଉତ୍ତର- ପୂର୍ବ ଦିଗ ମିଆଁମାର ଆଡ଼କୁୁ ଗତି କରିବା ସମ୍ଭାବନା ରହିଛି। ତେବେ ଏହି ଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲାରେ ୩୦ରୁ ୪୦ କି.ମି. ବେଗରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲା ସମେତ ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ବୌଦ୍ଧ ଏବଂ ବଲାଙ୍ଗୀରରେ ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଛତିଶଗଡ ଏବଂ ଓଡ଼ିଶା ଉପର ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିିଭିନ୍ନ ସ୍ଥାନରେ ଝଡବର୍ଷା ହେଉଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦବାଲିରେ ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୧.୨, ପାରାଦୀପ ୧୩.୪ ଏବଂ ଭୁବନେଶ୍ୱର ୨୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦିଆଯାଇଛି। ବର୍ଷା ଯୋଗୁ ରାଜ୍ୟରେ ତାତି ହ୍ରାସ ପାଇଛି। ଟିଟିଲାଗଡ ଓ ମାନଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ତଲେ ରହିଛି।

Share