Categories: ଜାତୀୟ

ଆସାମରେ ଏକାଧିକ ଭୂସ୍ଖଳନ: ମାଟିତଳେ ଚାପିହୋଇ ୨୦ ଲୋକଙ୍କ ଜୀବନ ଗଲା

ଗୁଆହାଟି, ୨।୬: ଲଗାତାର ବର୍ଷା ଯୋଗୁ ଆସାମର ଏକାଧିକ ସ୍ଥାନରେ ମଙ୍ଗଳବାର ଭୂସ୍ଖଳନ ଘଟିଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେତେକ ଆହତ ହୋଇଛନ୍ତି। ଦକ୍ଷିଣ ଆସାମର ବାରାକ ଉପତ୍ୟକାର ୩ଟି ଜିଲାରେ ଭୂସ୍ଖଳନ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଚାଚର ଜିଲାର ୭ ଜଣ ଥିବାବେଳେ ହାଇଲାକାଣ୍ଡି ଜିଲାର ୭ ଜଣ ଅଛନ୍ତି। ସେହିପରି କରିମଗଞ୍ଜ୍‌ ଜିଲାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ଏବଂ ୩ ମହିଳା ରହିଛନ୍ତି। ଲଗାତାର ବର୍ଷା ଯୋଗୁ ଏଠାରେ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ୩ ଲକ୍ଷ ୭୨ ହଜାର ଲୋକ ପ୍ରଭାବିତ ହୋଇଥିବା କୁହାଯାଉଛି। ୩୮୪ ଗାଁରେ ବନ୍ୟା ମାଡ଼ିଯାଇଛି। ସେହିପରି ୨୭ ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡ଼ି ଯାଇଛି। ବନ୍ୟା ଯୋଗୁ ଗୋଲାପାରା, ନାଗାଓଁ ଏବଂ ହୋଜାଇ ଜିଲା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share