Categories: ଖେଳ

ଆସାମରେ ଫସିଛନ୍ତି ଓଡ଼ିଶା ଜୁନିୟର କ୍ରିକେଟର୍‌: ବିସିସିଆଇର ସହାୟତା ଲୋଡ଼ିଲା ଓସିଏ; ହୋଟେଲ ବାହାରେ ବିକ୍ଷୋଭ, ଚିନ୍ତାରେ ଅଭିଭାବକ

କଟକ ଅଫିସ,୧୩ା୧୨- ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି)କୁ ବିରୋଧ କରି ଆସାମରେ ନିଆଁ ଜଳୁଥିବା ବେଳେ ଏଥିରେ ଫସିଛନ୍ତି ଓଡ଼ିଶାର ୧୯ ବର୍ଷରୁ କମ୍‌ ଜୁନିୟର ବାଳକ ଦଳର କ୍ରିକେଟ ଖେଳାଳି। ବୁଧବାର ରାତିରୁ ଗୁଆହାଟୀର ହୋଟେଲ ଭାର୍ଗବ ଗ୍ରାଣ୍ଡରେ ଖେଳାଳିମାନେ ଏକପ୍ରକାର ବନ୍ଦ ହୋଇ ରହିଛନ୍ତି। ଆସାମର ରାସ୍ତାଘାଟରେ ବିକ୍ଷୋଭ ହେବା ସହ କର୍ଫ୍ୟୁ ଜାରି ହୋଇଛି। ଇଣ୍ଟରନେଟ୍‌ ସେବା କାମ କରୁନି। ଜୀବନ ବଞ୍ଚାଇବା ଲାଗି ହୋଟେଲ ଭିତରୁ ବାହାରି ପାରୁନାହାନ୍ତି ଏହି ଓଡ଼ିଆ ଖେଳାଳି। କୁଚ୍‌ବିହାର ଟ୍ରଫିର ଏକ ମ୍ୟାଚ୍‌ ଖେଳିବାକୁ ରାଜ୍ୟ ଦଳ ଆସାମ ଯାତ୍ରା କରିଛି। ରାଜ୍ୟ ଖେଳାଳିଙ୍କୁ ଉଦ୍ଧାର କରିବା ଲାଗି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ଆସାମ କ୍ରିକେଟ ଆସୋସିଏଶନର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି ବୋଲି ସେ କହିଛନ୍ତି। ସ୍ଥିତି ସୁଧୁରିଲେ ଯଥାସମ୍ଭବ ସେମାନଙ୍କୁ ଶୀଘ୍ର ଓଡ଼ିଶା ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ ବୋଲି ସଞ୍ଜୟ କହିଛନ୍ତି।
ଅନ୍ତର୍ଜାତୀୟ ମ୍ୟାଚ୍‌କୁ ନେଇ ଓସିଏ ବ୍ୟସ୍ତ ଥିବା ବେଳେ ଆସାମର ଜନଅସନ୍ତୋଷ ରାଜ୍ୟ କ୍ରିକେଟ ସଂଘ ପାଇଁ ଚିନ୍ତା ବଢ଼ାଇ ସାରିଲାଣି। ଶୁକ୍ରବାର ଆସାମର ନାଗାଓଁସ୍ଥିତ ନୁରୁଲ ଅମିନ ଷ୍ଟାଡିୟମରେ ୧୯ ବର୍ଷରୁ କମ୍‌ କୁଚ୍‌ବିହାର ଟ୍ରଫିର ଏକ ମ୍ୟାଚ୍‌ ଖେଳାଯାଇଥାନ୍ତା। ଘରୋଇ ଆସାମ ଦଳ ବିପକ୍ଷରେ ଓଡ଼ିଶା ଏହି ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଥିଲା। ଏଥିପାଇଁ ବୁଧବାର ଅପରାହ୍ନରେ ଓଡ଼ିଶା ଦଳ ଆସାମ ଯାତ୍ରା କରିବା ସହ ସନ୍ଧ୍ୟାରେ ଗୁଆହାଟୀ ଏୟାରପୋର୍ଟରେ ପହଞ୍ଚିଥିଲା। ବସ୍‌ ଯୋଗେ ରାଜ୍ୟ ଦଳ ଷ୍ଟାଡିୟମ ନିକଟ ଏକ ହୋଟେଲକୁ ଯାତ୍ରା କରୁଥିଲା। ମାତ୍ର ରାସ୍ତାରେ ହିଂସାର ସମ୍ମୁଖୀନ ହେବା ଭଳି ପରିସ୍ଥିତି ଉପୁଜିଥିଲା। ଓଡ଼ିଶା ଦଳ ଯେଉଁ ବସ୍‌ରେ ଥିଲା, ସେହି ବସ୍‌ ଆଗରେ ଥିବା ଅନ୍ୟ ଏକ ବସ୍‌କୁ ଆନ୍ଦୋଳନକାରୀ ଭଙ୍ଗାରୁଜା କରିଦେଇଥିଲେ। ବାଧ୍ୟହୋଇ ନିର୍ଦ୍ଧାରିତ ହୋଟେଲ ବଦଳରେ ପୋଲିସ ସହାୟତାରେ ଓଡ଼ିଶା ଦଳକୁ ତୁରନ୍ତ ରାଜପଥ ନିକଟସ୍ଥ ହୋଟେଲ ଭାର୍ଗବ ଗ୍ରାଣ୍ଡକୁ ନିଆଯାଇଥିଲା। ବୁଧବାର ସନ୍ଧ୍ୟାରୁ ସେମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି। ଖେଳାଳିମାନଙ୍କ ପରିବାର ଲୋକ ଓସିଏ ସହ ବାରମ୍ବାର ଯୋଗାଯୋଗ କରୁଛନ୍ତି। ଆସାମରେ ଏବେ ବସ୍‌, ଟ୍ରେନ୍‌ ଓ ବିମାନସେବା ବନ୍ଦ ହୋଇସାରିଲାଣି। ଫଳସ୍ବରୂପ ଖେଳାଳିମାନଙ୍କ ଫେରିବାର ବାଟ ମଧ୍ୟ ସାମୟିକ ଭାବେ ବନ୍ଦ ହୋଇଯାଇଛି। କୌଣସି ଅଭିଭାବକ ବ୍ୟତିବ୍ୟସ୍ତ ନ ହେବାକୁ ଓସିଏ ପକ୍ଷରୁ ନିବେଦନ କରାଯାଇଛି। ଆସାମରେ ଥିବା ଖେଳାଳିମାନେ ହେଲେ ପ୍ରିନ୍ସ ସଙ୍କେତ ବେହେରା, ଆକାଶ ନାୟକ, ସମୀର ସାହୁ, ଅନିଲ ପରିଡ଼ା, ସ୍ପନ୍ଦନ ସାବତ, ମାନସ ନାୟକ, ଅଙ୍କିତ୍‌କର ଜୟଶ୍ୱାଲ, ମିଲନ ସାମଲ, ସୂରଜ ବେହେରା, ସୂର୍ଯ୍ୟ ନାରାୟଣ ବିଶ୍ୱାଳ, ସତ୍ୟକାମ ଭରଦ୍ୱାଜ, ଆର୍ଯ୍ୟ ଐଶ୍ୱର୍ଯ୍ୟ ଜେନା, ଅନିକେତ ତ୍ରିପାଠୀ, ନିଶିଥ ସିଂ, ବିନାୟକ ଦାସ। ଏହାଛଡ଼ା କୋଚ୍‌ ନିରଞ୍ଜନ ବେହେରାଙ୍କ ସମେତ ଫିଜିଓ, ଟ୍ରେନର ଓ ମ୍ୟାନେଜର ମଧ୍ୟ ଫସି ରହିଛନ୍ତି। କୋଚ୍‌ ନିରଞ୍ଜନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ହୋଟେଲ ବାହାରକୁ ଯିବାକୁ ବାରଣ କରାଯାଇଛି। ପରିସ୍ଥିତି ଆଦୌ ଭଲ ନାହିଁ। ରାସ୍ତାରେ ଲୋକମାନେ ବିକ୍ଷୋଭ କରିବା ସହ ନିଆଁ ଜାଳୁଛନ୍ତି। ଏବେ ମ୍ୟାଚ୍‌ ଅଫିସିଆଲ, ଅମ୍ପାୟର ମଧ୍ୟ ଏହି ହୋଟେଲରେ ପହଞ୍ଚିଛନ୍ତି। ଆମ ସୁରକ୍ଷା ନେଇ ଆସାମ କ୍ରିକେଟ ଆସୋସିଏଶନ ପକ୍ଷରୁ ପ୍ରଚେଷ୍ଟା କରାଯାଉଛି ବୋଲି ନିରଞ୍ଜନ କହିଛନ୍ତି।

Share