Categories: ଜାତୀୟ

ଆସାମ ଡିଟେନଶନ୍‌ ସେଣ୍ଟର: ୩ ବର୍ଷରେ ୩୦ ବିଦେଶୀଙ୍କ ଘଟିଛି ମୃତ୍ୟୁ

ନୂଆଦିଲ୍ଲୀ,୧୩।୪: ଭାରତରେ ବିନା କୌଣସି ବୈଧ ପ୍ରମାଣପତ୍ରରେ ବାସ କରୁଥିବା ଲୋକଙ୍କୁ ଡିଟେନଶନ୍‌ ସେଣ୍ଟରରେ ରଖାଯାଇଥାଏ। ଦେଶରେ ଏଭଳି ଲୋକଙ୍କୁ ରଖିବା ପାଇଁ ୨୦୦୯ରେ ୬ଟି ଡିଟେନଶନ୍‌ ସେଣ୍ଟର ନିର୍ମାଣ କରାଯାଇଥିଲା। ବିନା ପ୍ରମାଣପତ୍ରରେ ଭାରତରେ ରହୁଥିବା ଲୋକଙ୍କ ୧୯୮୩ ବେଆଇନ ପ୍ରବାସୀ ଅଧିନିୟମ ଏବଂ ୧୯୪୬ ବିଦେଶୀ ଅଧିନିୟମ ଅନୁସାରେ ଡିଟେନଶନ୍‌ ସେଣ୍ଟରରେ ରଖାଯାଇ ସେମାନଙ୍କ ଉପରେ ନ୍ୟାୟିକ ବିଚାର କରାଯାଇଥାଏ। ଆସାମର ଦିବ୍ରୁଗଡ଼, ଜୋରହାଟ୍‌, ଗୋଲପରା, କୋକ୍ରୋଝର, ସିଲଚର ଏବଂ ତେଜ୍‌ପୁରରେ ଏଭଳି ଡିଟେନଶନ୍‌ ସେଣ୍ଟର ରହିଛି। ୨୦୧୬ଠାରୁ ୨୦୧୯ ନଭେମ୍ବର ସୁଦ୍ଧା ୩ ବର୍ଷ ମଧ୍ୟରେ ଏସବୁ ଡିଟେନଶନ୍‌ ସେଣ୍ଟରରେ ୩୦ ଜଣ ବିଦେଶୀଙ୍କ ମୃତ୍ୟୁ ଘଟିଥିବା ଆସାମ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଡିଟେନଶନ୍‌ ସେଣ୍ଟରରେ ରହିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ବାଂଲାଦେଶୀ ରହିଛନ୍ତି। ସେମାନେ ୧୯୭୧ ପରେ ଭାରତକୁ ଆସିଥିଲେ। ସେହିପରି କେତେକ ନେପାଳର ଲୋକ ମଧ୍ୟ ଏଠାରେ ରହିଛନ୍ତି। ୨୦୧୬ ମାର୍ଚ୍ଚ ୧୭ରେ ଡିଟେନଶନ୍‌ ସେଣ୍ଟରରେ ପ୍ରଥମ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।

Share