Categories: ଜାତୀୟ

ଆସାମ ବନ୍ୟାରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ

ଗୁଆହାଟି,୧୩।୭: ଗତ ମେ’ ମାସରୁ ଆସାମରେ ବର୍ଷା ଲାଗି ରହିଥିବା ବେଳେ ଏବେ ସୁଦ୍ଧା ପାଖାପାଖି ୨୧ ଟି ଜିଲାର ୮ ଲକ୍ଷ ଲୋକ ବନ୍ୟା ଘେରରେ ରହିଥିବା କୁହାଯାଉଛି। ଏଠାରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେଉଥିବା ବେଳେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଉ ପ୍ରାୟ ୭ ହଜାର ଲୋକଙ୍କୁ ୬୮ଟି ସୁରକ୍ଷିତ ଶିବିରରେ ରଖାଯାଇଛି। ଏହି ବନ୍ୟା ଯୋଗୁ ୨୭ ହଜାର ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୨-୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ତେଣୁ ଏହି ବନ୍ୟା ପରିସ୍ଥିତିରେ ସୁଧାର ଆସିବାକୁ ଆହୁରି ସମୟ ଲାଗିବ।

Share