ଆସାମ ବନ୍ୟା ପୀଡିତଙ୍କୁ କାହିଁକି ଟଙ୍କା ଦାନ କରିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଶହୀଦ ଯବାନଙ୍କ ପରିବାର ହେଉ ଅବା ଆସାମ ବନ୍ୟା ପୀଡିତ। ସବୁଠି ଅର୍ଥରାଶି ଦାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି। କେବଳ ସେତିକି ନୁହେଁ ତାଙ୍କର ଦାନ ଦେଖିଲେ ସେ କେତେ ବିଶାଳ ହୃଦୟର ବ୍ୟକ୍ତି ତାହା ମଧ୍ୟ ଅନୁମାନ ଲଗାଯାଇପାରେ। ନିକଟରେ ସେ ଆସାମ ବନ୍ୟା ପୀଡିତଙ୍କୁ ପ୍ରାୟ ୨ କୋଟି ଟଙ୍କା ଦାନ କରିଥିଲେ। ନିକଟରେ ଏ ସମ୍ପର୍କରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଈଶ୍ୱର ତାଙ୍କୁ ବହୁତ ଟଙ୍କା ଦେଇଛନ୍ତି ଏହା ବ୍ୟତୀତ ସେ ଟଙ୍କା ନେଇ କେଉଁଠିକୁ ଯିବେ। ସେଥିପାଇଁ ଯାହାର ଟଙ୍କା ଆବଶ୍ୟକ ସେ ସେଠାରେ ଟଙ୍କା ଦାନ କରି ଦିଅନ୍ତି ବୋଲି କହିଛନ୍ତି। ତେବେ ଆସାମ ବନ୍ୟା ସମୟରେ ତାଙ୍କୁ ଏକ ଫଟୋ ମର୍ମାହତ କରିଥିଲା ବୋଲି ସେ କହିଛନ୍ତି। କାରଣ ଫଟୋଟିରେ ଜଣେ ମା’ ପାଣିରେ ଅଧା ବୁଡିଯାଉଥିବା ବେଳେ ନିଜ ଶିଶୁକୁ କାନ୍ଧରେ ବୋହି ବୋହି ନେଉଥିଲେ। ହେଲେ ସେହି ମା’ଟି ମନରେ ନା ଥିଲା ଦୁଃଖ ନା କିଛି ଚିନ୍ତା। ଆଉ ଏହି ଫଟୋଟି ଦେଖିବା ପରେ ଅକ୍ଷୟ ଭାବିଥିଲେ କେତେବେଳେ କାହା ସହିତ କ’ଣ ଘଟିବ ତାହା କହିବା ମୁସ୍କିଲ। ତେଣୁ ଟଙ୍କା ଆଜି ମୋ ପାଖରେ ଅଛି ଅନ୍ୟମାନଙ୍କୁ ସାହାଯ୍ୟ କଲେ କ୍ଷତି କ’ଣ। କାହିଁକି ନା ଟଙ୍କା ନେଇ ସେ କୁଆଡେ ଯିବେ ନାହିଁ ବୋଲି ଭଲଭାବେ ବୁଝି ଯାଇଛନ୍ତି।

Share