Advertisement

ଆସିକା ଲୋକ ସଭା ଆସନ :ଭୋଟ ଗଣତି ପାଇଁ ପ୍ରାର୍ଥୀ ପ୍ରତିନିଧିଙ୍କୁ ନେଇ ବୈଠକ

ଛତ୍ରପୁର,୧୮ା୫(ଡି.ଏନ୍‌.ଏ.) -ଆସିକା ଲୋକସଭା ପାଇଁ ହୋଇଥିବା ଭୋଟର ଗଣତି ଚଳିତ ମାସ ୨୩ ତାରିଖରେ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସିକା ଲୋକ ସଭା ଆସନ ପାଇଁ ରିଟର୍ନିଂ ଅଫିସର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଛନ୍ତି। ଏହି ଲୋକ ସଭା ଆସନ ଅଧୀନରେ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ହିଞ୍ଜିଳିି, ପୋଲସରା, ସାନଖେମୁଣ୍ଡି, ଆସିକା ଓ ସୋରଡା ନିର୍ବାଚନମଣ୍ଡଳୀ ରହିଛି। ଏନେଇ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆସିକା ଲୋକସଭା ଆସନ ପାଇଁ ଥିବା ପ୍ରାର୍ଥୀ ଓ ତାଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଭୋଟ ଗଣତି କିଭିଳି ଶୃଙ୍ଖଳିତ ଭାବେ ହୋଇପାରିବ ଏବଂ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ସେନେଇ ଜିଲାପାଳ ତଥା ରିଟର୍ନିଂ ଅଫିସର କୁଲାଙ୍ଗେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ୨୩ ତାରିଖ ପୂର୍ବାହ୍ନ ୮ଟା ବେଳେ ଛତ୍ରପୁରସ୍ଥିତ ଜିଲାପାଳଙ୍କ କୋର୍ଟ ହଲ୍‌ରେ ଆସିକା ଲୋକସଭା ଆସନ ପାଇଁ ହୋଇଥିବା ପୋଷ୍ଟାଲ ବାଲଟ୍‌ର ଗଣତି ହେବ। ଉକ୍ତଦିନ ପୂର୍ବାହ୍ନ ୮ଟା ୩୦ ରୁ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର କେନ୍ଦ୍ରରେ ଇଭିଏମ୍‌ର ଭୋଟ ଗଣତି ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି। ଆସିକା ଲୋକସଭା ଆସନ ଅଧିନ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ୭ ଟେବୁଲ୍‌ରେ ଇଭିଏମ୍‌ରେ ହୋଇଥିବା ଭୋଟର ଗଣତି ହେବ। ଆସିକା ଲୋକ ସଭା ଆସନ ପାଇଁ ଭୋଟ ଗଣତି ପାଇଁ ପ୍ରତି ପ୍ରାର୍ଥୀଙ୍କର ୬୭ ଜଣ ଏଜେଣ୍ଟ ରହିବେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ, ଜିଲା ନିର୍ବାଚନ ଅଧିକାରୀ ବିଜୟାନନ୍ଦ ସେଠୀ, ବିଜେଡି ପ୍ରାର୍ଥୀଙ୍କ ପ୍ରତିନିଧି ପ୍ରଶାନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ପ୍ରାର୍ଥୀଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel