ଆସୁଛି ବାତ୍ୟା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଆସନ୍ତା ୧୫ ତାରିଖରେ ଏହା ଅବପାତ (ଡିପ୍ରେଶନ)ରେ ପରିଣତ ହେବ। ୧୭ ତାରିଖ ବେଳକୁ ଏହା ଆହୁରି ବଳ ଯୋଗାଡ଼ କରି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ। ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟା ପ୍ରଥମେ ପଶ୍ଚିମ ଉତ୍ତର-ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ। ଏହା ପରେ ଦିଗ ବଦଳାଇ ଉତ୍ତର ପୂର୍ବ ଦିଗକୁ ଗତି କରିବ। ଆସନ୍ତା ୧୯ ତାରିଖରେ ବାତ୍ୟା ତାମିଲନାଡ଼ୁ-ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଦେଇ ସମାନ୍ତରାଳ ରେଖାରେ ଗତି କରିବା ସମ୍ଭାବନା ରହିଛି। ମେ ୧୯ କିମ୍ବା ୨୦ ତାରିଖରେ ବାତ୍ୟା ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସହିତ ୪୦ରୁ ୫୦ କି.ମି.  ବେଗରେ ପବନ ବହିବା ସମ୍ଭାବନା ରହିଛି। ତେବେ କେତେକ ପାଣିପାଗ ମଡେଲ ଏହା ବାଂଲାଦେଶ ଆଡ଼କୁ ଯିବ ବୋଲି ପୂର୍ବାନୁମାନ କରିଛନ୍ତି। ଆସନ୍ତା ୧୫ ତାରିଖ ବେଳକୁ ବାତ୍ୟାର ରୂପରେଖ କିପରି ହେବ ଓ କେଉଁ ଆଡ଼କୁ ଗତି କରିବ ସେ ନେଇ ସ୍ପଷ୍ଟ କରାଯାଇ ପାରିବ ବୋଲି ଅବସରପ୍ରାପ୍ତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି।
ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି। ସ୍ଥଳଭାଗରେ ଗରମ ବାୟୁ ପ୍ରବାହ ହେବା ସହିତ ସାମୁଦ୍ରିକ ଜଳର ତାପମାତ୍ରା ୩୦ ଡିଗ୍ରୀ ସେଲ୍‌ସିୟସ ପାଖାପାଖି ରହୁଛି। ବାୟୁମଣ୍ଡଳର ଉପରିଭାଗରେ ଅର୍ଥାତ୍‌ ସମୁଦ୍ର ପତ୍ତନରୁ ୧୨ କି.ମି. ଉପରେ ପବନର ବେଗ ଅଧିକ ଥିବାବେଳେ ତଳ ଭାଗରେ ଗତି କମ୍‌ ରହୁଛି। ବାତ୍ୟା ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ସୁଗମ ହେବ। ନିର୍ଦ୍ଧାରିତ ସମୟରେ ଅର୍ଥାତ୍‌ ଆସନ୍ତା ୧୬ କିମ୍ବା ୧୭ ତାରିଖରେ ମୌସୁମୀ ଆଣ୍ଡାମାନ ଉପକୂଳକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ବାତ୍ୟା ଦାନା ବାନ୍ଧୁ ଥିବାରୁ ରାଜ୍ୟରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ। ପାରଦ ୪୫ ଡିଗ୍ରୀକୁ ଛୁଇଁବ ବୋଲି ଅନୁମାନ କରାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି ଏବଂ ରାଜ୍ୟର ଅନ୍ୟାନ୍ୟ ଭାଗରେ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ସୁନ୍ଦରଗଡ଼, ଦେବଗଡ଼, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଏବଂ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share