ଗୋପାଳପୁର,୧ା୫-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନୀ’ ମୁକାବିଲା ନେଇ ତପତ୍ର ହୋଇପଡ଼ିଛି ପ୍ରଶାସନ। ଗୋପାଳପୁର ବନ୍ଦରରେ ୨ ନମ୍ବର ବିପଦସଙ୍କେତ ଦିଆଯାଇଛି। ଯେ କୌଣସି ପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।
ଗତ କିଛି ବର୍ଷ ହେଲା ସାମୁଦ୍ରିକ ଝଡ଼ ପ୍ରଭାବରେ ଗୋପାଳପୁର ଓ ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଆସନ୍ତା ୩ ତାରିଖ ଅପରାହ୍ନରେ ‘ଫନୀ’ ଚାନ୍ଦବାଲି-ଗୋପାଳପୁର ମଧ୍ୟଭାଗ କିମ୍ବା ପୁରୀର ଦକ୍ଷିଣରେ ସ୍ଥଳଭାଗ ଛୁଇଁବ ବୋଲି ଗୋପାଳପୁର ପାଣିପାଗ ବିଭାଗର ବିଶେଷଜ୍ଞ ରଥ ମାରାଣ୍ଡି ମଙ୍ଗଳବାର ସୂଚନା ଦେଇଛନ୍ତି। ଆସନ୍ତା ୨ ତାରିଖରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ। ଏହା ୬୦କିମି ମଧ୍ୟ ଛୁଇଁପାରେ ବୋଲି ସେ କହିଛନ୍ତି। ୩ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୫୦ରୁ ୬୦ କିମି ବେଗରେ ପବନ ବହିବ। ବେଳେବେଳେ ୮୦ କିମିକୁ ବୃଦ୍ଧି ପାଇବ। ଉକ୍ତ ଦିନ ଅପରାହ୍ନରେ ସାମୁଦ୍ରିକ ଝଡ଼ ଭୟଙ୍କର ରୂପ ନେଇ ଗୋପାଳପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସେତେବେଳେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ଏବଂ ବେଳେବେଳେ ୨୦୫ କିଲୋମିଟର ହୋଇପାରେ ବୋଲି ମାରାଣ୍ଡି ସୂଚନା ଦେଇଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ରଙ୍ଗେଇଲୁଣ୍ଡା ବ୍ଲକର ମେଣ୍ଡରାଜପୁର, ଇନ୍ଦ୍ରାକ୍ଷୀ, ମାର୍କଣ୍ଡି, ହାତୀପାଦ, ଗୋଳାବନ୍ଧ, ନାରାୟଣପୁର, ରଙ୍ଗେଇଲୁଣ୍ଡା, ଲହୁଡ଼ିଗାଁ, ବକ୍ସିପଲ୍ଲୀର ପଞ୍ଚାୟତର ୩୩ ହଜାର ୫୯୨ ଲୋକଙ୍କୁ ୨୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ବୋଲିି ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ ସୂଚନା ଦେଇଛନ୍ତି। କଚ୍ଚା ଘରେ ରହୁଥିବା ୧,୩୫୦ ପରିବାରକୁ ମଧ୍ୟ ସ୍ଥାନାନ୍ତର କରାଯିବ। ଗର୍ଭବତୀମାନଙ୍କୁ ମେଡିକାଲରେ ଆଶ୍ରା ଦିଆଯିବ। ମଙ୍ଗଳବାର ସନ୍ଧ୍ୟାରେ ରଙ୍ଗେଇଲୁଣ୍ଡା ବ୍ଲକର ସଦ୍ଭାବନା କକ୍ଷରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟ, ରଙ୍ଗେଇଲୁଣ୍ଡା ବିଡିଓ ନାଗଭୂଷଣ, ସିଡିପିଓ ଜ୍ୟୋତ୍ସ୍ନା ପାଢ଼ୀ, କନିଷି ଭାରପ୍ରାପ୍ତ ତହସିଲଦାର ଅନୀତା ସାହୁ, ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।