Advertisement

ଆସ୍ଥାଗୃହ ଅନ୍ତେବାସୀଙ୍କ ସହ ଖାଇଲେ ଜିଲାପାଳ

ସୁନ୍ଦରଗଡ,୨୯।୧୨ (ଡି.ଏନ୍‌.ଏ) -ସମସ୍ତଙ୍କ ମଧ୍ୟରେ ବହିପଢିବା ଅଭ୍ୟାସ ସୃଷ୍ଟି କରିବା ପାଇଁ ସୁନ୍ଦରଗଡ଼ରେ ‘ବହିପଢ’ ଅଭିଯାନ ଆରମ୍ଭ କରି ଅଭିନବ ପ୍ରୟାସ କରିଥିବା ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଶନିବାର ସ୍ଥାନୀୟ ଆସ୍ଥାଗୃହରେ ଅନ୍ତେବାସୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ କରି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲାପାଳ ଆସ୍ଥାଗୃହ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହିତ ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କର ସିଲେଇ, ଷ୍ଟିଚିଂ, ଛତୁଚାଷ ଓ ଗୋପାଳନ କାର୍ଯ୍ୟ ଦେଖି ପ୍ରଶଂସା କରିଥିଲେ। ଏହା ସହ ଆଗାମୀ ଦିନରେ ନଡାରୁ କମ୍ପୋଷ୍ଟ ଖତ ତିଆରି ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏନ୍‌ଟିପିସି ଡୁଲୁଙ୍ଗା କୋଇଲା ଖଣି ପ୍ରକଳ୍ପ ତରଫରୁ ଅନ୍ତେବାସୀମାନଙ୍କୁ ଜିଲାପାଳ କମ୍ବଳ ବଣ୍ଟନ କରିଥିଲେ। ପ୍ରକାଶ ଥାଉ କି ଆସ୍ଥା ଗୃହରେ ଅସହାୟ ମାନସିକ ଭିନ୍ନକ୍ଷମ ଓ ମାନସିକ ଭିନ୍ନକ୍ଷମ ଅସହାୟ ମହିଳା ମାନଙ୍କୁ ଉଦ୍ଧାର କରାଯାଇ ଏଠାରେ ରଖାଯାଉଛି। ସେମାନଙ୍କର ଚିକିତ୍ସା କରାଯାଇ ସୁସ୍ଥ ହେବା ପରେ ସେମାନଙ୍କୁ ଯୋଗ ଓ ଅନ୍ୟାନ୍ୟ ତାଲିମ ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ହେବାପାଇଁ ତାଲିମ ଦିଆଯାଉଛି। ଜିଲାପାଳଙ୍କ ଏହି ପରିଦର୍ଶନ ବେଳେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ବିଶି, ଆସ୍ଥା ଗୃହର ତତ୍ତ୍ୱାବଧାରିକା ଆଡଭୋକେଟ ସ୍ନେହଲତା ପଟେଲ, ଏନ୍‌ଟିପିସି ଡୁଲୁଙ୍ଗାକୋଇଲା ଖଣି ପ୍ରକଳ୍ପର ଅଧିକାରୀମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share