ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

ସୁନ୍ଦରଗଡ଼,୧୨।୯ (ଡି.ଏନ୍‌.ଏ): ଜଣେ ଗର୍ଭବତୀଙ୍କୁ ମାଡ଼ ମାରିଥିବା ନେଇ ଗତ କିଛିଦିନ ତଳେ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରାଙ୍କୁ ମଙ୍ଗଳବାର ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଇ ସେ ନିଜର ମାନବିକତା ଦେଖାଇଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ପି ମିଶ୍ରା ଅପରାହ୍ନରେ ସୁନ୍ଦରଗଡ଼ରୁ ରାଜଗାଙ୍ଗପୁର ଯାଉଥିଲେ। କୁତ୍ରା ନିକଟ ବିଜୁ ଏକ୍ସପ୍ରେସ ଓ୍ବେ ର ପୁରୁଣା ରାଞ୍ଚିରୋଡ ଛକ ନିକଟରେ ହଠାତ୍‌ ତାଙ୍କ ଗାଡି ସାମ୍ନାରେ ଏକ ଦୁର୍ଘଟଣା ଘଟିଥିଲା। ଜଣେ ବାଇକ୍‌ ଚାଳକ ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲେ। ଫଳରେ ସାଇକେଲ ଚାଳକ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡିଥିଲେ। ଏପରି ଦୁର୍ଘଟଣା ଏସ୍‌ପି ମିଶ୍ରା ଦେଖିବା ପରେ ତୁରନ୍ତ ନିଜ ଗାଡି ଅଟକାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ସାଇକେଲ ଚାଳକଙ୍କୁ ନିଜେ ଉଠାଇ ନିଜ ଗାଡ଼ିରେ ପ୍ରଥମେ କୁତ୍ରା ଡାକ୍ତରଖାନା ନେଇଥିଲେ। ପରେ ତାଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାକୁ ନେଇ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଅବଶ୍ୟ ଆହତ ସାଇକେଲ ଆରୋହୀ ତଥା ଗମ୍ଭାରୀଡିହି ଗ୍ରାମର ରାଜେନ୍ଦ୍ର କିସ୍‌ପଟ୍ଟାଙ୍କ ଚିକିତ୍ସାଧୀନ ଅବସ୍ଥାରେ ରାଜଗାଙ୍ଗପୁର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ବାଇକ୍‌ ଆରୋହୀ ଚୁନିପଡାର ପ୍ରଦୀପ ସିଂ ଓ ତାଙ୍କ ଶାଳକ ଭୀମ ସିଂ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। କୁତ୍ରା ପୋଲିସ ସେମାନଙ୍କୁ ନେଇ ରାଉରକେଲା ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଛି। କୁତ୍ରା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ (ନଂ.ଓଡି ୧୪ ଏଲ୍‌ ୨୪୪୩)କୁ ଜବତ କରି ଏକ ମାମଲା ରୁଜୁ କରିଛି।

Share