Categories: ଖେଳ

ଆହୁରି ଭଲ ଖେଳିବା ଲକ୍ଷ୍ୟରେ ରହିଛି: ନାଗାଲ

ନ୍ୟୁୟର୍କ,୨୮।୮- ଗ୍ରାଣ୍ଡସ୍ଲାମ ଡେବ୍ୟୁ ମ୍ୟାଚ୍‌ ମୋ ପାଇଁ ବିଶେଷ ଅଭିଜ୍ଞତା ଆଣିଦେଇଛି। ଟେନିସର ଭଗବାନ କୁହାଯାଉଥିବା ରୋଜର ଫେଡରରଙ୍କ ବିପକ୍ଷରେ ଗ୍ରାଣ୍ଡସ୍ଳାମ ପଦାର୍ପଣ କରିବାର ଓ ପ୍ରଥମ ସେଟ୍‌ ବିଜୟୀ ହେବା ମୋ ପାଇଁ ଅବିଶ୍ୱସନୀୟ ଥିଲା ବୋଲି ସୁମିତ ନାଗାଲ କହିଛନ୍ତି। ଆଗକୁ ଆହୁରି ଭଲ ଖେଳିବା ଲକ୍ଷ୍ୟରେ ରହିଛି। କେବଳ ବିଶ୍ୱର ଟପ୍‌ ୮୦ କିମ୍ବା ୯୦ ମଧ୍ୟରେ ସାମିଲ ହୋଇ ସନ୍ତୁଷ୍ଟ ହେବି ନାହିଁ ବୋଲି ସେ କହିଛନ୍ତି। ଭାରତ କେବଳ କ୍ରିକେଟ ଭଲ ଖେଳେ ବୋଲି ଲୋକେ କୁହନ୍ତି। କିନ୍ତୁ ଟେନିସ୍‌ରେ ମଧ୍ୟ ଭାରତ ଆଗରେ ରହିଛି ବୋଲି ଲୋକେ କହିବା ମୁଁ ଚାହୁଛି। ଫେଡରରଙ୍କୁ ପ୍ରଥମ ସେଟ୍‌ରେ ହରାଇ ନାଗାଲ ପୁଣି ଥରେ ଭାରତରେ ଟେନିସ୍‌କୁ ନେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ପୂର୍ବତନ ଅଲିମ୍ପିକ ସ୍ବର୍ଣ୍ଣପଦକ ବିଜେତା ତଥା ଅଭିଜ୍ଞ ଶୁଟର ଅଭିନବ ବିନ୍ଦ୍ରା, ଅଭିଜ୍ଞ ଟେନିସ ଖେଳାଳି ସୋମଦେବ ଦେବବର୍ମନ ପ୍ରଶଂସା କରିଛନ୍ତି। ୟୁଏସ୍‌ ଓପନ ଟେନିସ ମଧ୍ୟ ନାଗାଲଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛି। ଜିତିବା କିମ୍ବା ହାରିବା ବଡ଼ କଥା ନୁହଁ। ତେବେ ଗୋଟିଏ ଭଲ ଅଭିଜ୍ଞତା ହାସଲ କରିଛି। ଷ୍ଟାଡିୟମରେ ଦର୍ଶକଙ୍କ ସମର୍ଥନ ଚମତ୍କାର ଥିଲା। ‘ଆପୋଲୋ ମିଶନ ୨୦୧୮’ ପ୍ରୋଗ୍ରାମ ପାଇଁ ୨୦୦୭ରେ ନାଗାଲଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଭାରତୀୟ କିମ୍ବଦନ୍ତୀ ଡବଲ୍ସ ଖେଳାଳି ମହେଶ ଭୂପତି। ସେତେବେଳେ ନାଗାଲଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା। ଭିଏତ୍‌ନାମର ନାମ ହୋଆଙ୍ଗ୍‌ ଲି ସହ ସାଥି ହୋଇ ନାଗାଲ ୨୦୧୫ ଓ୍ବିମ୍ବେଲଡ଼ନ ବାଳକ ଡବଲ୍ସ ଟାଇଟଲ ହାସଲ କରିଥିଲେ ଓ ସେ ଷଷ୍ଠ ଭାରତୀୟ ଖେଳାଳିଭାବେ ଜୁନିୟର ଗ୍ରାଣ୍ଡସ୍ଲାମ ଟ୍ରଫି ହାସଲ କରିଥିଲେ।

Share