ଆହୁରି ୧୫ ଦିନ ପରେ ମଣ୍ଡିରେ କିଣାହେବ ଧାନ: ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ

ନୟାଗଡ଼ ଅଫିସ,୫ା୧୨: ଗତ ୨୯ ତାରିଖରେ ଜିଲାରେ ସରକାରୀ ଭାବେ ଧାନମଣ୍ଡି ଉଦ୍‌ଘାଟିତ ହୋଇଥିଲା। ସେ ସମୟରେ ଡିସେମ୍ବର ୧୮ ତାରିଖ ପରେ ମଣ୍ଡିରେ ଧାନ କିଣା ହେବ ବୋଲି କୁହାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଧାନ ବେପାରୀ (ଦଲାଲ) ମାନେ ସକ୍ରିୟ ହୋଇପଡିଛନ୍ତି। ସେମାନେ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ବହୁ କମ୍‌ ଦରରେ ଚାଷୀଙ୍କଠାରୁ ଧାନ କିଣିନେଉଛନ୍ତି। ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି। ମଙ୍ଗଳବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅପରାହ୍ନ ୪ଟାରେ ନୟାଗଡ଼ ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ଯୋଗିଆପଲ୍ଲୀ ଗ୍ରାମ ଛକଠାରେ ଏକ ଟ୍ରାକ୍ଟରରେ ଜଣେ ଦଲାଲ୍‌ ଧାନବସ୍ତା ବୋଝେଇ କରି ନେଉଥିବା ଦେଖାଯାଇଥିଲା। ଖବର ନେବାରୁ ଜଣାପଡିଲା ଯେ, ଧାନ କୁଇଣ୍ଟାଲ ପିଛା ସରକାରୀ ମୂଲ୍ୟ ୧୮୧୫ ଟଙ୍କା ଥିବା ବେଳେ ଉକ୍ତ ଦଲାଲ୍‌ ଜଣକ ମାତ୍ର ୧୩୦୦ଟଙ୍କାରେ ଏହାକୁ କିଣିଥିଲେ। ଫଳରେ ଚାଷୀଟିଏ କୁଇଣ୍ଟାଲ ପିଛା ୫୧୫ କ୍ଷତି ସହିଥିଲା। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଧରାପଡିଯିବା ଭୟରେ ଦଲାଲ ଜଣକ ଟ୍ରାକ୍ଟର ନମ୍ବର ପ୍ଲେଟରେ ଅଖା ଘୋଡାଇ ଦେଇଥିଲେ। ଏହିଭଳି ଭାବେ ଦଲାଲ୍‌ମାନେ ଗାଁ ଗାଁ ବୁଲି ଧାନ ସଂଗ୍ରହ କରିବା ଘଟଣା ପ୍ରଶାସନର ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଧାନ ବିକ୍ରି କରୁଥିବା କିଛି ଚାଷୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେମାନେ କହିଥିଲେ, ଏ ବର୍ଷ ଭଲ ଧାନ ହୋଇଥିବା ବେଳେ ମଣ୍ଡି ଖୋଲିବାକୁ ଆହୁରି ୧୫ ଦିନ ବାକି ଅଛି। ତେଣୁ ମହାଜନଠାରୁ ଆଣିଥିବା ଋଣ ପରିଶୋଧ ପାଇଁ ଆମେ ବାଧ୍ୟହୋଇ କମ୍‌ ଦରରେ ଧାନ ବିକ୍ରି କରୁଛୁ। ସୂଚନାଯୋଗ୍ୟ ଚଳିତବର୍ଷ ଜିଲାରେ ୪୦ ହଜାର ୮୦୪ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବାବେଳେ ସେମାନଙ୍କଠାରୁ ୧୦ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜିଲାର ୧୫୯ ମଣ୍ଡିରେ ଚାଷୀମାନେ ସେମାନଙ୍କ ଧାନ ବିକ୍ରୟ କରିପାରିବେ। ଦଲାଲମାନେ କମ୍‌ ଦାମ୍‌ରେ ଧାନ କିଣିବା ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ। କୃଷକ ନେତା ରଣଜିତ ଦଳବେହେରା କହନ୍ତି, ଦଲାଲମାନଙ୍କ ଉପରେ ପ୍ରଶାସନ ଚଢ଼ାଉ କରିବା ଆବଶ୍ୟକ। ମଣ୍ଡି ଖୋଲିବା ପରେ ପ୍ରଶାସନର ଗୋଟିଏ ଟିମ୍‌ ବିଭିନ୍ନ ସ୍ଥାନ ବୁଲି ଧାନ ବିକ୍ରି ଉପରେ ନଜର ଦେବା ମଧ୍ୟ ଦରକାର। ସେହିଭଳି ଚଳିତବର୍ଷ ଯେପରି ମଣ୍ଡିରେ ଧାନ କଟ୍‌ନିଛଟ୍‌ନି ନ ହେବ ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବାକୁ ସେ ମତ ଦେଇଛନ୍ତି।

Share