ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା:୭ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାଛଡ଼ା ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉପର ଦେଇ ଏକ ଟ୍ରପଲାଇନ ରହିଛି। ଏଥିସହିତ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁ ବଙ୍ଗୋପସାଗରରୁ ପୂର୍ବ ଦିଗ ସ୍ଥଳଭାଗ ଆଡ଼କୁ ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ସ୍ଥାନରେ ଦିନ ତମାମ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରବଳ ବର୍ଷା ଯୋଗୁ କେତେକ ନଦୀ ମଧ୍ୟ ଫୁଲିବା ଆରମ୍ଭ କରିଛି। ଜଳ ସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀର ନରାଜ, ବୁଢାବଳଙ୍ଗ ନଦୀର ବାଲି ମୁଣ୍ଡଳୀ, କୁଶଭଦ୍ରାର ନିମାପଡା, ସୁବର୍ଣ୍ଣରେଖା ନଦୀର ଜାମଶୋଳା, ଋଷିକୁଲ୍ୟା ନଦୀର ମାଧବରିଡା ଓ ପୁରୁଷୋତ୍ତମପୁର, ବଂଶଧରାର ଗୁଣୁପୁରଠାରେ ବନ୍ୟା ଜଳ ବୃଦ୍ଧି ପାଉଛି। ତେବେ ବର୍ଷା ହ୍ରାସ ପାଇବା ସମ୍ଭାବନା ଥିବାରୁ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ।
ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁରରେ ୭୮ ମିଲିମିଟର ବର୍ଷା ହୋଇଥିବାବେଳେ ବାଲିମେଳା ୫୬.୪, ଏନ.ଏଚ-୫ ଗୋବିନ୍ଦପୁର ୪୨.୮, ନୀଳଗିରି ୬୬.୬, ସୋରେ ୪୨, ଉଦଳା ୨୭, ଜୟପୁର ୨୭.୨, ହିନ୍ଦୋଳ ୩୨, ପୁରୀ ୫୪.୬, ଗୋପ ୩୭.୨, ନୟାଗଡ଼ ୨୬.୪, ରଣପୁର ୨୬.୨, ପଟ୍ଟାମୁଣ୍ଡାଇ ୫୭, ଗୋପାଳପୁର ୪୯.୪, ପୁରୁଷୋତ୍ତମପୁର ୮୮.୨, ଛତ୍ରପୁର ୪୫.୫, ଆଖୁଆ ପଦା ୪୦, ଆନନ୍ଦପୁର ୨୯, ବାଲେଶ୍ୱର ୩୫, ଭୁବନେଶ୍ୱରରେ ୩୮, ଚାନ୍ଦବାଲିରେ ୧୨.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ବର୍ଷା ଆସନ୍ତା ୨୮ ତାରିଖ ଯାଏ ଲାଗି ରହିବ। ତେବେ ୨୬ ତାରିଖ ଠାରୁ ବର୍ଷା ପରିମାଣ ହ୍ରାସ ପାଇବ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ତେବେ ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୟାଗଡ଼, କେନ୍ଦୁଝର, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଆଦି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ଏଲୋଓ୍ବାନିର୍ଂ ଜାରି କରିଛି। ଗୁରୁବାରଠାରୁ ବର୍ଷା ପରିମାଣ କମି ଗଲେ ମଧ୍ୟ ଦକ୍ଷିଣ, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share