ଆୟକର ଓ ଭାରତର ପ୍ରଗତି

ସୁରେଶ ଚନ୍ଦ୍ର ମହାପାତ୍ର
୧୮୫୭ ମସିହାରେ ଭାରତରେ ସଂଘଟିତ ସିପାହୀ ବିଦ୍ରୋହରେ ତତ୍କାଳୀନ ବ୍ରିଟିଶ ସରକାରଙ୍କୁ ପ୍ରଭୂତ କ୍ଷତି ସହିବାକୁ ପଡ଼ିଥିଲା। ସେହି ଆର୍ଥିକ କ୍ଷତିକୁ ଭରଣା କରିବା ଉଦ୍ଦେଶ୍ୟରେ ସେ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଲର୍ଡ ପାଲମେର୍ଷ୍ଟନଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ଅର୍ଥମନ୍ତ୍ରୀ ସାର୍‌ ଜେମ୍ସ ଓ୍ବିଲସନ ୧୮୬୦ ମସିହାରେ ଭାରତ ପାଇଁ ପ୍ରଥମ ସଂଘୀୟ ବଜେଟରେ ଲୋକଙ୍କର ଆୟ ଉପରେ ଏକ କରର ପ୍ରସ୍ତାବନା କରିଥିଲେ। ଇଂଲଣ୍ଡ ପାର୍ଲାମେଣ୍ଟରେ ତାହା ଅନୁମୋଦିତ ହେବା ପରେ ବ୍ରିଟିଶ ଶାସନାଧୀନ ତତ୍କାଳୀନ ଭାରତରେ ୧୮୬୦ ଜୁଲାଇ ୨୪ରୁ ଆୟ ଉପରେ ଟିକସ ଲଗାଇବାର କ୍ଷମତା ସେ ସମୟର ଇଂରେଜ ସରକାରଙ୍କୁ ମିଳିଥିଲା। ତେଣୁ ଭାରତରେ ଜୁଲାଇ ୨୪ ତାରିଖକୁ ଆୟକର ଦିବସ ଭାବେ ପାଳନ କରାଯାଏ। ଭାରତ ପରିପ୍ରେକ୍ଷୀରେ ତାହାକୁ ଅର୍ଥଶାସ୍ତ୍ରୀମାନେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥାନ୍ତି।
ଆୟ ଉପରେ କର ବସାଇବା ସମ୍ଭବତଃ ମାନବ ସଭ୍ୟତାର ଆଦ୍ୟ ସମୟରୁ ରହି ଆସିଛି। ଭାରତରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଏଭଳି ଏକ କରର ପ୍ରଚଳନ ଥିବାର ପ୍ରମାଣ ମିଳେ। ମନୁସ୍ମୃତି ଅନୁସାରେ ରାଜା ନିଜ ପ୍ରଜାଙ୍କଠାରୁ କର ଏମିତି ଭାବରେ ଆଦାୟ କରିବା ଉଚିତ ଯେମିତିକି ପ୍ରଜା କୌଣସି ପ୍ରକାର କଷ୍ଟ ଅନୁଭବ ନ କରିବେ। ରଘୁବଂଶ ମହାକାବ୍ୟରେ ମହାକବି କାଳିଦାସ ସୂର୍ଯ୍ୟବଂଶର ରାଜା ଦିଲୀପଙ୍କ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଯେ, ପ୍ରଜାମାନଙ୍କ ଉପକାରାର୍ଥେ ରାଜା କର ସେହିଭଳି ଆଦାୟ କରନ୍ତି, ଯେମିତି ସୂର୍ଯ୍ୟ ପୃଥିବୀ ଦେହରୁ ଜଳକଣା ସଂଗ୍ରହ କରେ ଓ ବର୍ଷା ଆକାରରେ ତାହାର ସହସ୍ରଗୁଣା ପୁନରାୟ ପୃଥିବୀକୁ ଫେରାଇଦିଏ। ଅର୍ଥଶାସ୍ତ୍ରର ପ୍ରଣେତା କୌଟିଲ୍ୟଙ୍କ କହିବା ଅନୁସାରେ ରାଷ୍ଟ୍ର ନିଜର ପ୍ରଜାଙ୍କଠାରୁ କର ସେହିଭଳି ଆଦାୟ କରିବା ଉଚିତ ଯେମିତି ମଧୁମକ୍ଷିକା ଫୁଲ ଦେହରୁ ଫୁଲକୁ କଷ୍ଟ ନ ଦେଇ ମଧୁ ସଂଗ୍ରହ କରିଥାଏ।
ଆୟ ଉପରେ କର ଲାଗୁ କରିବା ପ୍ରଥମ କରି ପ୍ରାଚୀନ ମିଶର ଦେଶରେ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଚାଇନାରେ ଦଶମ ଶତାବ୍ଦୀରେ ଜିଙ୍ଗ ରାଜବଂଶର ସମ୍ରାଟ ଓ୍ବାଙ୍ଗ ମାଙ୍ଗଙ୍କ ଦ୍ୱାରା ଶତକଡା ୧୦ ହାରରେ ଆୟ ଉପରେ କର ଲଗାଯାଇଥିଲା। ଆମେରିକାରେ ଆୟକରର ପ୍ରଚଳନ ୫ ଅଗଷ୍ଟ ୧୮୬୧ରୁ ଆରମ୍ଭ ହୋଇଥିଲା। ବ୍ରିଟେନରେ ଆୟକରର ପ୍ରଚଳନ ୧୭୯୯ ମସିହାରୁ ଆରମ୍ଭ ହୋଇଛି। ମୋଟାମୋଟି ଭାବେ କହିବାକୁ ଗଲେ କୌଣସି ନା କୌଣସି ଭାବେ ଆୟ ଉପରେ କର ଲଗାଇବାର ବ୍ୟବସ୍ଥା ପ୍ରତ୍ୟେକ ଦେଶରେ ପ୍ରାଚୀନ କାଳରୁ ରହିଆସିଛି।
ଭାରତର ସମ୍ବିଧାନର ସପ୍ତମ ଅନୁସୂଚୀର ପ୍ରଥମ ସୂଚୀ ବା ସଂଘ ସୂଚୀରେ ଆୟକର ଉପରେ ନିୟମ ପ୍ରଣୟନ କ୍ଷମତା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି। ଏବେକାର ଆୟକର ଅଧିନିୟମଟି ୧ ଏପ୍ରିଲ ୧୯୬୧ରୁ ପ୍ରଚଳିତ। ଏହା ସମ୍ପୂର୍ଣ୍ଣ ଭାରତ ପାଇଁ ଲାଗୁ ଅଟେ। ୧୯୬୩ରେ ପ୍ରଣୟନ କରାଯାଇଥିବା କେନ୍ଦ୍ରୀୟ ରାଜସ୍ବ ବୋର୍ଡ ଅଧିନିୟମର ଧାରା ୩ ଅନୁସାରେ ୧ ଜାନୁୟାରୀ ୧୯୬୪ରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସ୍ବତନ୍ତ୍ର ଭାବେ ଭାରତରେ ପ୍ରତ୍ୟକ୍ଷ କରର ଦାୟିତ୍ୱ ବହନ କରିଛି।
ଆୟକର ଏକ ପ୍ରତ୍ୟକ୍ଷ କର ହୋଇଥିବାରୁ ଏହା ଲୋକଙ୍କୁ ସିଧାସଳଖ ପ୍ରଭାବିତ କରେ। ଭାରତର ପ୍ରତ୍ୟକ୍ଷ କର ବ୍ୟବସ୍ଥାକୁ ଏକ ପ୍ରଗତିଶୀଳ କର ବ୍ୟବସ୍ଥା କୁହାଯାଏ। ବର୍ଷକୁ ବର୍ଷ ଏହାର ଆଦାୟରେ ବୃଦ୍ଧି ଘଟିବାର ଶ୍ରେୟ କେବଳ ଏ ଦେଶର ଅଗଣିତ କରଦାତାଙ୍କୁ ଯାଏ। ପ୍ରାୟ ଦେଢଶହ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରଚଳିତ ଏପରି ଏକ ଟିକସ ବ୍ୟବସ୍ଥାରେ କରଦାତାଙ୍କ ପ୍ରତ୍ୟକ୍ଷ ଭାଗୀଦାରି ହିଁ ଆୟକର ଓ ପ୍ରତ୍ୟକ୍ଷ କରକୁ ସରକାରୀ ରାଜସ୍ବ ସଂଗ୍ରହର ଏକ ପ୍ରମୁଖ ମାଧ୍ୟମ ଭାବେ ଗଢ଼ିତୋଳିଛି। ଦିନକୁ ଦିନ ଏହାର ସଂଗ୍ରହରେ ବୃଦ୍ଧି ଏ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଏକ ଅତ୍ୟନ୍ତ ଶୁଭ ସୂଚନା। କେନ୍ଦ୍ର ସରକାରଙ୍କ ବାର୍ଷିକ ରାଜସ୍ବ ଆୟର ପାଖାପାଖି ଷାଠିଏ ଭାଗ ପ୍ରତ୍ୟକ୍ଷ କରରୁ ସଂଗ୍ରହ ହୋଇଥାଏ। ପ୍ରତ୍ୟକ୍ଷ କର ଜିଡିପିର ଶତକଡା ୬ ଭାଗ।
ସଂଗୃହୀତ ଉପରୋକ୍ତ କର ଭାରତ ଭଳି ବିଶାଳ ଦେଶର ବିକାଶରେ ହିଁ ବିନିଯୋଗ ହେଉଛି। ରାସ୍ତାଘାଟ, ରେଳ, ବିମାନବନ୍ଦର, ପୋତାଶ୍ରୟ ଭଳି ଭିତ୍ତିଭୂମିର ବିକାଶ ସେହି କର ସମ୍ବଳ ଯୋଗୁ ହିଁ ହେଉଛି। ଆଜି ଭାରତ ମହାକାଶ ବିଜ୍ଞାନରେ ଏକ ଅଗ୍ରଗାମୀ ଦେଶ। ଗୋଟିଏ ଗୋଟିଏ ମହାକାଶ ଯାନର ଉତ୍‌କ୍ଷେପଣରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ସେହି ସମ୍ବଳରୁ ଆସୁଛି। ଦେଶର ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପରିବହନ, ସମାଜର ଦୁର୍ବଳ ଶ୍ରେଣୀଙ୍କର ଉନ୍ନତି ଓ ଲୋକଙ୍କ ଜୀବନର ବହୁମୁଖୀ ବିକାଶରେ ଆୟକରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶର ଆନ୍ତରିକ ସୁରକ୍ଷା ଓ ବହିଃସୁରକ୍ଷାରେ ଉପରୋକ୍ତ କରରାଶିର ଉପଯୋଗ ହେଉଛି। କହିବାକୁ ଗଲେ ଆୟକର ଏ ଦେଶର ପ୍ରତ୍ୟକ ବ୍ୟକ୍ତିର ସର୍ବାଙ୍ଗୀଣ ବିକାଶରେ ହିଁ ବିନିଯୋଗ ହେଉଛି।
କୌଣସି ଦେଶର ଉନ୍ନତି ଓ ବିକାଶ ଏହାର ଦୃଢ଼ ଅର୍ଥ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ। ଏକ ଦୃଢ଼ ଅର୍ଥ ବ୍ୟବସ୍ଥା ଏକ ସୁସଂହତ କର ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଉକ୍ତ କର ବ୍ୟବସ୍ଥାରେ ନାଗରିକଙ୍କ ସ୍ବେଚ୍ଛାକୃତ ଅବଦାନ ଭାରତକୁ ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ରଭାବେ ଗଢ଼ିତୋଳିବ। ତେଣୁ ସ୍ବେଚ୍ଛାରେ ଆୟକର ପ୍ରଦାନ ପ୍ରତ୍ୟେକ ଭାରତୀୟଙ୍କର କେବଳ ଏକ ରାଷ୍ଟ୍ରୀୟ ଓ ନୈତିକ କର୍ତ୍ତବ୍ୟ।
ବିଗତ ଦେଢ଼ଶହ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆୟକର ବିଭାଗ ନିଜର କର ନୀତିରେ ବିଭିନ୍ନ ପ୍ରକାର ସମୟୋପଯୋଗୀ ପରିବର୍ତ୍ତନ କରିଚାଲିଛି। ଏକ ସୁଦକ୍ଷ ଓ ପ୍ରଭାବଶାଳୀ କର ପ୍ରଶାସନ ମାଧ୍ୟମରେ ନାଗରିକଙ୍କ ଦ୍ୱାରା ସ୍ବତଃପ୍ରବୃତ୍ତ କର ପ୍ରଦାନକୁ ଉତ୍ସାହିତ କରିବା ଏ ବିଭାଗର ଅନ୍ୟତମ ଲକ୍ଷ୍ୟ। ତତ୍‌ ସହ କରଫାଙ୍କିକୁ ଶୂନ୍ୟମାତ୍ରାରେ ବି ନ ସହିବାର ଏକ ଦୃଢ଼ ଶପଥ ନେଇ ଆୟକର ବିଭାଗ ଏ ଦେଶର ବିକାଶ ପାଇଁ ଶପଥବଦ୍ଧ। ଆଜି ଦେଶଯାକରେ ୫୬୦ରୁ ଅଧିକ ଜାଗାରେ ଆୟକର ବିଭାଗର ଅଫିସ ରହିଛି। ପ୍ରାୟ ୫୫ ହଜାରରୁ ଅଧିକ କର୍ମଚାରୀ କର ସଂଗ୍ରହରେ ନିୟୋଜିତ। ଦେଶ ଯେତେବେଳେ ସ୍ବାଧୀନତା ଲାଭ କଲା ସେତେବେଳେ ମାତ୍ର କେଇ ହଜାର ଆୟକରଦାତା ଥିଲେ। ମାତ୍ର ତାହା ଆଜି ପ୍ରାୟ ୬ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚିଲାଣି, କିନ୍ତୁ ସଂଖ୍ୟା ଦୃଷ୍ଟିରୁ ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ପାଇଁ ଏହି ସଂଖ୍ୟା ମୋଟେ ଉତ୍ସାହପ୍ରଦ ନୁହେଁ। ଅବଶ୍ୟ ୨୦୧୯-୨୦୨୦ ସୁଦ୍ଧା ଆଉ ଏକ କୋଟିରୁ ଊର୍ଦ୍ଧ୍ୱ କରଦାତାଙ୍କୁ ଆୟକର ପରିସରକୁ ଆଣିବାର ଯୋଜନା ବିଭାଗର ଅନ୍ୟତମ ଲକ୍ଷ୍ୟ। ଆର୍ଥିକ ବର୍ଷ ୨୦୧୮-୧୯ରେ ପ୍ରତ୍ୟକ୍ଷ କର ସଂଗ୍ରହ ୧୧.୩୮ ଲକ୍ଷ କୋଟିରେ ପହଞ୍ଚିଛି, ଯାହାକି ପୂର୍ବ ଆର୍ଥିକବର୍ଷ ତୁଳନାରେ ୧୩.୪୭% ଅଧିକ। ସାଢ଼େ ଚାରି କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାରେ ୨୦୧୮-୧୯ରେ ୧୩,୧୦୧.୪୦ କୋଟି ଟଙ୍କାର ପ୍ରତ୍ୟକ୍ଷ କର ଆଦାୟ ହୋଇପାରିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୨୮%ରୁ ଅଧିକ।
ଏକବିଂଶ ଶତାବ୍ଦୀର ଆୟକର ବିଭାଗ ଡିଜିଟାଲ ଇଣ୍ଡିଆ ପାଇଁ ନିଜକୁ ଏକ ଅଗ୍ରଦୂତ ଭାବେ ପ୍ରତିପାଦିତ କରିଛି। ବର୍ତ୍ତମାନ ଆୟକର ବିଭାଗ ନିଜର ସମସ୍ତ କାର୍ଯ୍ୟକୁ ସୂଚନା ପ୍ରଯୁକ୍ତି ବିଜ୍ଞାନ ମାଧ୍ୟମରେ ନିଷ୍ପାଦନ କରୁଛି। କରଦାତାଙ୍କୁ ନିଜର ବାର୍ଷିକ ଆୟକର ରିଟର୍ନ ଦାଖଲ କରିବାକୁ ଆୟକର ବିଭାଗ ଅଫିସକୁ ଆଉ ପରିଶ୍ରମ କରି ଓ ଖର୍ଚ୍ଚାନ୍ତ ହୋଇ ଆସିବାକୁ ପଡୁନାହିଁ। ରିଫଣ୍ଡ ପାଇଁ ବିଭାଗର ଦପ୍ତରକୁ ଆସିବାର ଆବଶ୍ୟକତା ନାହିଁ। ଆପଣାଛାଏଁ ତାହା କରଦାତାଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯାଉଛି।
(ଆୟକର ଦିବସ ଉପଲକ୍ଷେ)
ଆୟକର ବିଭାଗ, ଭୁବନେଶ୍ୱର, ମୋ-୯୪୩୮୯୧୭୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri