Categories: ବାଣିଜ୍ୟ

ଆୟକର ଛାଡ଼ ସୀମା ବଢ଼ିପାରେ; ବିତ୍ତଶାଳୀଙ୍କ ଉପରେ ଲାଗିବ ୪୦% ଟିକସ: ସର୍ଭେ

ନୂଆଦିଲ୍ଲୀ,୧-୭: ଆସନ୍ତା ସାଧାରଣ ବଜେଟରେ ବ୍ୟକ୍ତିଗତ ଆୟକରଦାତାଙ୍କ ଲାଗି ଆୟକର ଛାଡ଼ ସୀମା ବର୍ତ୍ତମାନର ୨.୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇପାରେ। ଏଥିସହିତ ୧୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କଠାରୁ ୪୦ ପ୍ରତିଶତ ହାରରେ ଟିକସ ଆଦାୟ ଲାଗୁ ହୋଇପାରେ ବୋଲି ଏକ ସର୍ଭେରେ ଅନୁମାନ କରାଯାଇଛି।
କେପିଏମ୍‌ଜି(ଇଣ୍ଡିଆ)ପକ୍ଷରୁ ୨୦୧୯-୨୦ ବଜେଟ ପୂର୍ବ ସର୍ଭେରେ ବିଭିନ୍ନ ଉଦ୍ୟୋଗ ସହ ସମ୍ପୃକ୍ତ ୨୨୬ ଜଣଙ୍କ ମତାମତକୁ ସାମିଲ କରାଯାଇଛି। ଏଥିରେ ସାମିଲ ୭୪ ପ୍ରତିଶତ ଲୋକଙ୍କ ମତରେ ବ୍ୟକ୍ତିଗତ ଆୟକର ଛାଡ଼ ସୀମାକୁ ୨.୫ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯିବ। ସେହିପରି ୫୮ ପ୍ରତିଶତଙ୍କ ମତରେ ୧୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସରକାର ‘ସୁପର ରିଚ୍‌’ ବା ‘ବିତ୍ତଶାଳୀ’ ଭାବେ ଉଲ୍ଲେଖ କରି ସେମାନଙ୍କ ଠାରୁ ୪୦% ହାରରେ ସର୍ବାଧିକ ଟିକସ ଆଦାୟ କରିବାକୁ ବଜେଟରେ ଘୋଷଣା କରିପାରନ୍ତି। ସର୍ଭେରେ ଅଂଶଗ୍ରହଣକାରୀ ୧୩% ମତରେ ଉତ୍ତରାଧିକାରୀ ଟିକସକୁ ପ୍ରତ୍ୟାହାର କରିନିଆଯାଇପାରେ। ଅନ୍ୟପକ୍ଷରେ ୧୦ ପ୍ରତିଶତଙ୍କ ମତରେ ସମ୍ପଦ କର/ଇଷ୍ଟେଟ ଡ୍ୟୁଟିକୁ ପୁନର୍ବାର ଲାଗୁ କରାଯିବ ବୋଲି ସର୍ଭେରେ ଦର୍ଶାଯାଇଛି। ଘର ଚାହିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବଜେଟରେ ନିଜସ୍ବ ବାସଯୋଗ୍ୟ ଘର ପାଇଁ ଆବାସ ଋଣ ଉପରେ ଦିଆଯାଉଥିବା ସୁଧ ଛାଡ଼ ସୀମାକୁ ୨ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇପାରେ ବୋଲି ୬୫% ଲୋକ ମତପୋଷଣ କରିଛନ୍ତି। ସେହିପରି ୫୧ପ୍ରତିଶତଙ୍କ ମତରେ ଗୃହ ଋଣ ବାବଦରେ ମୂଳ ଅର୍ଥ ଫେରସ୍ତ ପାଇଁ ୮୦ସି ଧାରାରେ ଛାଡ ସୀମାକୁ ୧.୫ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇପାରେ। ତେବେ ୫୩ ପ୍ରତିଶତଙ୍କ ମତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବଡ଼ ଧରଣର ସଂଶୋଧନ କରିବେ ନାହିଁ। ଅପରପକ୍ଷରେ ୪୬ ପ୍ରତିଶତଙ୍କ କହିବାନୁଯାୟୀ, ସମସ୍ତ କମ୍ପାନୀଙ୍କ ଲାଗି କର୍ପୋରେଟ ଟିକସ ହାରକୁ ୨୫%କୁ ହ୍ରାସ କରାଯିବ ନାହିଁ।

Share