ଆୟକର ଫାଙ୍କି ଅଭିଯୋଗ: ଜେଡ୍‌ ଇଷ୍ଟେଟ ସଂସ୍ଥା ଉପରେ ଚଢ଼ାଉ

ଭୁବନେଶ୍ୱର, ୯।୭(ବ୍ୟୁରୋ): ଆୟକର ଫାଙ୍କିବା ଅଭିଯୋଗରେ ଜେଡ୍‌ ଇଷ୍ଟେଟ ବିଲ୍ଡର ସଂସ୍ଥା ଉପରେ ସୋମବାର ସନ୍ଧ୍ୟାରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। କଟକ ଓ ଭୁବନେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହେଇଛି। ଆୟକର ବିଭାଗର ଏକ ୭ଜଣିଆ ଟିମ୍‌ ଚଢାଉରେ ସାମିଲ ଥିଲେ। କେବଳ ସଂସ୍ଥାର ଅଫିସ ନୁହେଁ, ମାଲିକ ତପନ ମହାନ୍ତିଙ୍କ ଘରେ ମଧ୍ୟ ଆୟକର ଅଧିକାରୀମାନେ ଚଢାଉ କରିଛନ୍ତି। ଏହି ସମୟରେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ସଂସ୍ଥାର ଆୟକର ସମ୍ପର୍କରେ ଯାଞ୍ଚ କରିବା ପାଇଁ ଏସବୁ ଅଧିକ ସହାୟକ ହେବ ବୋଲି କୁହାଯାଉଛି। ଆୟକର ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉକ୍ତ ସଂସ୍ଥା ଆୟକର ଫାଙ୍କିବା ନେଇ ଗତ କିଛିଦିନ ହେବ ଅଭିଯୋଗ ହୋଇଆସୁଥିଲା। ଆୟକର ଅଧିକାରୀମାନେ ସଂସ୍ଥାର କାଗଜପତ୍ର ଯାଞ୍ଚ କରିବା ପରେ ଲକ୍ଷାଧିକ ଟଙ୍କାର ଆୟକର ଫାଙ୍କି ସମ୍ପର୍କରେ ଜଣାପଡ଼ିିଥିଲା। ଏ ନେଇ ସଂସ୍ଥାକୁ ନୋଟିସ କରାଯାଇଥିଲା। ମାତ୍ର ସଂସ୍ଥାର ମୁଖ୍ୟ କିଛି ନ ଶୁଣିବାରୁ ଶେଷରେ ଏଭଳି ଅଚାନକ ଚଢାଉ କରାଯାଇଛି। ସଂସ୍ଥା ବର୍ଷକରେ ତେତେ ଟଙ୍କା ଆୟ କରିଛି ସେନେଇ ଯାଞ୍ଚ ଜାରି ରହିଛି। ସୂଚନାଯୋଗ୍ୟ, କଟକ ଓ ଭୁବନେଶ୍ୱରରେ ଉକ୍ତ ସଂସ୍ଥାର ବିଭିନ୍ନ ପ୍ରୋଜେକ୍ଟ କାମ ଚାଲୁଛି। ଏକାଧିକ ବ୍ୟକ୍ତି ଫ୍ଲାଟ ପାଇଁ ସଂସ୍ଥାକୁ ଲକ୍ଷାଧିକ ଟଙ୍କା ଅଗ୍ରିମ ଆକାରରେ ଦେଇଛନ୍ତି। ଏସବୁର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

Share