Categories: ଖେଳ

ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ ବିଶ୍ୱ ଟି୨୦ ଫାଇନାଲ୍ସର ନିକଟତର

ଦୁବାଇ, ୨୭।୧୦(ଏଏଫପି): ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ ବିଶ୍ୱ ଟି୨୦ ଫାଇନାଲ୍ସର ନିକଟତର ହୋଇଛନ୍ତି। ଏହି ଦୁଇଦଳ ଯଥାକ୍ରମେ ନାଇଜେରିଆ ଓ ବର୍ମୁଡାକୁ ହରାଇ ପ୍ଲେ-ଅଫ୍‌ରେ ପ୍ରବେଶ କରିଛନ୍ତି। ଆୟର୍ଲାଣ୍ଡ ୮ ଉଇକେଟରେ ନାଇଜେରିଆକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନାଇଜେରିଆ ୨୦ ଓଭରରେ ୯ ଉଇକେଟ ହରାଇ ୬୬ ରନ କରିଥିବାବେଳେ ଆୟର୍ଲାଣ୍ଡ ମାତ୍ର ୬.୧ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ ଯାଇଥିଲା। କେଭିନ ଓ’ବ୍ରେନ ୧୭ ବଲ୍‌ରୁ ଦ୍ରୁତ ୩୨ ରନ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଅନ୍ୟଏକ ମ୍ୟାଚରେ ନେଦରଲାଣ୍ଡ୍ସ ୯୨ ରନରେ ବର୍ମୁଡାକୁ ହରାଇ ଦେଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନେଦରଲାଣ୍ଡ୍ସ ମ୍ୟାକ୍ସ ଓଡୋଡ୍‌ (୫୮) ଏବଂ ବେନ୍‌ କୁପର(୫୮)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୩ ଉଇକେଟ ହରାଇ ୨୦୬ ରନ କରିଥିଲା। କଲିନ ଆକରମାନ ୧୮ ବଲ୍‌ରୁ ୪୩ ରନ କରି ଅପରାଜିତ ରହିଥିଲେ। ଜବାବରେ ବର୍ମୁଡା ପୁରା ୨୦ ଓଭର ଖେଳିଥିଲେ ହେଁ ୯ ଉଇକେଟ ହରାଇ ୧୧୪ ରନ କରିବାକୁ ସକ୍ଷମ ହୋଇଥିଲା। ନେଦରଲାଣ୍ଡ୍ସ ୫ ମ୍ୟାଚରୁ ୮ ପଏଣ୍ଟ ସହିତ ଗ୍ରୁପ‘ଏ’ର ଦ୍ୱିତୀୟ ଏବଂ ଆୟର୍ଲାଣ୍ଡ ୬ ମ୍ୟାଚରୁ ୮ ପଏଣ୍ଟ ପାଇ ଗ୍ରୁପ‘ବି’ର ଶୀର୍ଷସ୍ଥାନରେ ରହିଛି।

Share