ଆୟୁର୍ବେଦ ମାଧ୍ୟମରେ ହେବ କରୋନାର ଚିକିତ୍ସା !

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଦିନକୁ ଦିନ ଏହା କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ଅତିକମ୍ର କରିଥିବା ବେଳେ ଏହାର ସଠିକ୍‌ ଚିକିତ୍ସା ପଦ୍ଧତି ଅବା ଏହାପାଇଁ କୌଣସି ଔଷଧ ନ ଥିବାରୁ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି। କେତେଗୁଡିଏ ବିକାଶଶୀଳ ଦେଶ ଏବେ କରୋନା ଭ୍ୟାକସିନ୍‌ ତିଆରି କରିବା କାମରେ ଲାଗି ପଡିଛନ୍ତି। ଇତିମଧ୍ୟରେ ଆୟୁଷ ମନ୍ତ୍ରଣାଳୟ ବିଶେଷଜ୍ଞ ଓ କାଉନସିଲ ଅଫ୍‌ ସାଇନଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍‌ଆଇଆର୍‌)ସହ ମିଶି କରୋନା ଭାଇରସ ସହ ଲଢିବା ପାଇଁ ୪ଟି ଆୟୁର୍ବେଦିକ ଜଡିବୁଟିର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବାକୁ ଯୋଜନା କରିଛି। ଅଶ୍ୱଗନ୍ଧା, ଗୁଡୁଚି, ଜଷ୍ଟିମଧୁ ଓ ପିପଳି ଭଳି ଔଷଧର କ୍ଲିନିକାଲ ଟେଷ୍ଟ ଏହି ସପ୍ତାହରେ କରାଯିବ ବୋଲି ଜଣାପଡିଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଟୁଇଟ୍‌ କରି ଏହା କୁହାଯାଇଛି। କେନ୍ଦ୍ରର ଆୟୁଷ ରାଜ୍ୟମନ୍ତ୍ରୀ ଶ୍ରୀପଦ ଓ୍ବାଇ ନାଏକ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହା ପ୍ରଥମେ ଆରୋଗ୍ୟ ସେତୁ ଆପ୍‌ ଦ୍ୱାରା ଚିହ୍ନିତ ହଟ୍‌ସ୍ପଟରେ କରାଯିବ। ଏହାପରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଏହାର ପରୀକ୍ଷଣ କରାଯିବ। ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ ଓ ପୁଣେ ସହରର ପାଖାପାଖି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ ଏହା ପରୀକ୍ଷା କରାଯିବ ବୋଲି ଜଣାପଡିଛି। ତେବେ ରୋଗୀଙ୍କ ଲକ୍ଷଣ ଓ ସଂକ୍ରମଣକୁ ପ୍ରଥମେ ଦୃଷ୍ଟି ଦିଆଯାଇ ଏହା ଟେଷ୍ଟ କରାଯିବ ବୋଲି କୁହାଯାଉଛି।

Share