ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ ‘ବାଲା’: ୪ ଦିନରେ ୫୦ କୋଟି କ୍ଲବରେ ହେଲା ସାମିଲ

ବମ୍ବେ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଉଥିବା ଅଭିନେତା ପାଲଟିଛନ୍ତି ଆୟୁଷ୍ମାନ ଖୁରାନ୍ନା। ଶୁକ୍ରବାର ରିଲିଜ ହୋଇଥିବା ‘ବାଲା’ ବକ୍ସ ଅଫିସରରେ ଭଲ ବ୍ୟବସାୟ କରିବା ସହ ମାତ୍ର ୪ ଦିନରେ ୫୦କୋଟି କ୍ଲବରେ ସାମିଲ ହୋଇଛି। ଏହା ଆୟୁଷ୍ମାନଙ୍କ ପୂର୍ବ ଚଳଚ୍ଚିତ୍ର ଡ୍ରିମ୍‌ଗର୍ଲଠାରୁ ଭଲ ରୋଜଗାର କରୁଛି। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟରରେ ଏନେଇ ସୂଚନା ଦେଇଛନ୍ତି।

ଶୁକ୍ରବାର ଫିଲ୍ମ ୧୦.୧୫ କୋଟି, ଶନିବାର ୧୫.୭୩ କୋଟି, ରବିବାର ୧୮.୦୭ କୋଟି ଏବଂ ସୋମବାର ୮.୨୬ କୋଟି ବ୍ୟବସାୟ କରିଥିଲା। ସେହିଭଳି ମଙ୍ଗଳବାର ଗୁରୁ ନାନକ ଜୟନ୍ତୀ ଲାଗି ଛୁଟିଦିନ ଥିବାରୁ ଏହା ଆଶା ଠାରୁ ଅଧିକ ବ୍ୟବସାୟ କରିବ ବୋଲି କୁହାଯାଉଛି।

୨୦୧୭ରେ ବରେଲି କି ବର୍ଫି ଚଳଚ୍ଚିତ୍ର ପରଠାରୁ ରିଲିଜ ହୋଇଥିବା ଆୟୁଷ୍ମାନଙ୍କ ପ୍ରତିଟି ଫିଲ୍ମ ହିଟ୍‌ ସାବ୍ୟସ୍ତ ହେଉଛି। ଏହି କ୍ରମରେ ‘ବାଲା’ ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ। ଏହାପୂର୍ବରୁ ସେ ଶୁଭ ମଙ୍ଗଲ ସାବଧାନ, ଅନ୍ଧାଧୁନ୍‌, ବଧାଇ ହୋ, ଆର୍ଟିକଲ ୧୫ ଏବଂ ଡ୍ରିମ୍‌ଗର୍ଲ ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଆଗାମୀ ଦିନରେ ଆୟୁଷ୍ମାନଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ ଏବଂ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ରିଲିଜ ହେବ। ଏଗୁଡ଼ିକ ମଧ୍ୟ ହିଟ୍‌ ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି।

Share