Categories: ବାଣିଜ୍ୟ

ଆୟୁଷ୍ମାନ ଭାରତରେ ଘରୋଇ ହସ୍ପିଟାଲ ପାଇବେ ପ୍ରୋତ୍ସାହନ

ନୂଆଦିଲ୍ଲୀ,୨୪-୧୧: ୨୦୧୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ ଘୋଷଣା କରିଥିଲେ। ଏହା ମୋଦି କେୟାର ଭାବେ ପରିଚିତ ଥିବା ବେଳେ ଏଥିରେ ଘରୋଇ ହସ୍ପିଟାଲଗୁଡିକର ଯୋଗଦାନକୁ ପ୍ରୋତ୍ସାହନ ମିଳିବ ବୋଲି ଜଣାପଡିଛି। ଅଧିକ ଲୋକ କିଭଳି ଏହି ଯୋଜନାର ଲାଭ ନେବେ ତାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ କେନ୍ଦ୍ର ସରକାର ଗ୍ରହଣ କରିବେ। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏହି ଯୋଜନା ଲୋକାଭିମୁଖୀ ହୋଇ ପାରିନାହିଁ। ଦେଶ ମଧ୍ୟରେ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଣ ଲକ୍ଷ୍ୟରେ ଗରିବ ଲୋକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭର ପ୍ରଦାନ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ୧୦ କୋଟି ପରିବାର ୫୦ କୋଟି ଲୋକଙ୍କ ସୁରକ୍ଷା ପ୍ରଦାନ କରିବାକୁ ଯୋଜନା ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ଲାଭ ୧୦ କୋଟି ଲୋକଙ୍କୁ ମିଳିଥିବା ଜଣାପଡିଛି।
ନ୍ୟାଶନାଲ ହେଲ୍‌୍‌ଥ ଅଥରିଟି(ଏନ୍‌ଏଚ୍‌ଏ) ତଥ୍ୟ ମୁତାବକ ଏହି ପ୍ରୋଗ୍ରାମରେ ୨୦ ହଜାର ହସ୍ପିଟାଲ ଯୋଡି ହୋଇଛନ୍ତି। ଏହା ମଧ୍ୟରେ ୬୦% ଘରୋଇ ହସ୍ପିଟାଲ ସାମିଲ ରହିଛି। ଘରୋଇ ସହଭାଗିତା ବଢିଲେ ଏହି କାର୍ଯ୍ୟକ୍ରମ ସଫଳ ହେବାର ଅଧିକ ସମ୍ଭାବନା ରହିଥିବା ସରକାର କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଏହି ଯୋଜନା ଲାଗି ବଜେଟରେ ୬,୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ଜଣାପଡିଛି। ଯୋଜନାର ଲାଭ ଗ୍ରାମାଞ୍ଚଳର ୮ କୋଟି ପରିବାର ଏବଂ ସହରାଞ୍ଚଳର ୨ କୋଟି ପରିବାରକୁ ଯୋଗାଇବା ନେଇ ଯୋଜନା ରହିଛି।
ଯୋଜନାର ଲାଭ ନେବାକୁ ଥିବା ଲୋକଙ୍କର ବୟସର କୌଣସି କଟକଣା ରଖାଯାଇ ନାହିଁ। ମହିଳା, ବାଳିକା ଏବଂ ବରିଷ୍ଠ ଲୋକମାନଙ୍କୁ ଉକ୍ତ ଯୋଜନାରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। କର୍କଟ, ହାର୍ଟ ଅପରେଶନ ଭଳି ଜଟିଳ ରୋଗଗୁଡିକୁ ଏଥିରେ ସାମିଲ କରାଯାଇଛି। ମୋଦି କେୟାର ଯୋଜନାକୁ କ୍ୟାଶଲେସ ଏବଂ ପେପରଲେସ ଭାବେ ପ୍ରସ୍ତୁତ କରାଯାଇଛି। ଦେଶର କୌଣସି ବି ସ୍ଥାନରେ ଯୋଜନାର ଲାଭ ଲୋକମାନେ ନେଇ ପାରିବେ।

Share