ଆୟୁଷ୍ମାନ ଭାରତ: ଓଡ଼ିଶା ପାଇଛି ୧୧୩କୋଟି

ଭୁବନେଶ୍ୱର,୪ା୧୨(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁ ନ ଥିବାରୁ ଭାଜପା ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି। ଏହି ଯୋଜନା ଓଡ଼ିଶାରେ ଲାଗୁ ହେଲେ ପ୍ରଧାନମନ୍ତ୍ରୀ କାଳେ ନାଁ ନେଇଯିବେ ସେଥିଲାଗି ରାଜ୍ୟ ସରକାର ଏହାକୁ ଲାଗୁ କରୁ ନ ଥିବା ଭାଜପା ନେତୃବୃନ୍ଦ ଅଭିଯୋଗ କରୁଛନ୍ତି। ହେଲେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପାର୍ଲାମେଣ୍ଟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଦୁଇଟି ଉପାଦାନ ରହିଛି। ଏଥିରୁ ଗୋଟିଏ ଉପାଦାନରେ ଥିବା ହେଲ୍‌ଥ ଆଣ୍ଡ ଓ୍ବେଲନେସ ସେଣ୍ଟର ବାବଦକୁ ଓଡ଼ିଶାକୁ ୨୦୧୮-୧୯ରେ ୪୮କୋଟି ୩୪ଲକ୍ଷ ଏବଂ ୨୦୧୯-୨୦ରେ ୬୫କୋଟି ୨୨ଲକ୍ଷ ଟଙ୍କା ଦିଆଯାଇଛି। ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ଏହି ଟଙ୍କା କେନ୍ଦ୍ରରୁ ଆସିଥିବା ଜଣାପଡିଛି। ଭାଜପା ଏମ୍‌ପି ବସନ୍ତ ପଣ୍ଡା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗି ଓଡ଼ିଶା କେନ୍ଦ୍ର ସହ ଚୁକ୍ତି କରିନାହିଁ। ଅନ୍ୟପଟେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ଆସିଥିବା ଟଙ୍କା ଆୟୁଷ୍ମାନ ଯୋଜନାରେ ନୁହେଁ ବରଂ ୬୦:୪୦ ଭାଗରେ କେବଳ ପ୍ରଶିକ୍ଷଣ ଲାଗି ଆସିଛି। କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ବହୁତଗୁଡିଏ ଯୋଜନା କରାଯାଇଥାଏ ବୋଲି ସେ କହିଛନ୍ତି।

Share