ଆୟୁଷ୍ମାନ ଭାରତ ଯୋଜନା: ରାଜି କରାଇବାକୁ ଆସିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୪।୬(ବ୍ୟୁରୋ): ନିର୍ବାଚନ ସରିଯାଇଛି। ଆଉ ମତଭେଦ ନାହିଁ। ମିଳିମିଶି ରାଜ୍ୟ ତଥା ଦେଶର ବିକାଶ କରିବାକୁ କେନ୍ଦ୍ର ସରକାର ଆହ୍ବାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଗତବର୍ଷଠାରୁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଟଣାଓଟରା ଚାଲିଛି। ଭାଜପା ପରିଚାଳିତ ଏନ୍‌ଡିଏ ସରକାର ପ୍ରଥମ ପାଳିରେ ରାଜ୍ୟରେ ଉକ୍ତ ସ୍ବାସ୍ଥ୍ୟ ଯୋଜନାକୁ ଲାଗୁ କରିବା ନେଇ ବିଜେଡି ସରକାରକୁ ମନାଇ ପାରି ନ ଥିଲେ। ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇ ଏହି ଯୋଜନା ଲାଗୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆୟୁଷ୍ମାନ ଭାରତ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦୁ ଭୂଷଣଙ୍କ ନେତୃତ୍ୱରେ ଏକ ଟିମ୍‌ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛି। ସେହି ଟିମ୍‌ରେ ଅଛନ୍ତି ମନୁ ଶୁକ୍ଳା, ଆଦିତି ଭାର୍ଗବ, ଆସ୍ଥା ଆରୋରା ଏବଂ ରୋହିତ ଦେଓ ଝା। ଇନ୍ଦୁ ଭୂଷଣ ଓ ତାଙ୍କ ଟିମ୍‌ ଏହି ଯୋଜନା କାର୍ଯ୍ୟକାରୀ କରିବା ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ ସାକ୍ଷାତ୍‌ କରି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଆଲୋଚନା ସଫଳ ହେଲେ ରାଜ୍ୟରେ ଏହି କେନ୍ଦ୍ରୀୟ ଯୋଜନା ଲାଗୁହେବ।
ଏଠାରେ ସୂଚନାଯୋଗ୍ୟ ଯେ, ବିଜେଡି ସରକାର କେନ୍ଦ୍ର ଯୋଜନାକୁ ତାଳ ଦେଇ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ଗରିବ ଲୋକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି। ମହିଳାଙ୍କ କ୍ଷେତ୍ରରେ ସହାୟତା ରାଶିକୁ ଦୁଇଗୁଣା କରାଯାଇଛି। ଏହି ଯୋଜନାରେ ରାଜ୍ୟ ସରକାର ୭୦ ଲକ୍ଷ ପରିବାରକୁ ସାମିଲ କରିଛନ୍ତି। ଏପରିକି ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବଡ଼ ବଡ଼ ମେଡିକାଲରେ ଚିକିତ୍ସା ସୁବିଧା ପାଇପାରିବେ। ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଅନୁରୋଧ କରିଥିଲେ। ମାତ୍ର ବିଜେଡି ସରକାର କେନ୍ଦ୍ର ସରକାରଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥର କେନ୍ଦ୍ରୀୟ ଟିମ୍‌ ରାଜ୍ୟ ସରକାରଙ୍କୁ ବୁଝାଇବାରେ ସଫଳ ହେବ କି ନାହିଁ, ତାହା ଗସ୍ତ ପରେ ଜଣାପଡ଼ିବ।

Share