ଆୟୁଷ ରାଜ୍ୟର ସର୍ବକନିଷ୍ଠ ୱେବ୍‌ ଡିଜାଇନର

ନାକଟିିଦେଉଳ, ୧।୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜାମୁଯୋରି ପଞ୍ଚାୟତର ଦୁର୍ଗମ କୁଡ଼ାନାଳୀ ଗ୍ରାମର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୨ ବର୍ଷର ପୁଅ ଆୟୁଷ ରଞ୍ଜନ ରାଉତ ଦେଶର ଦ୍ୱିତୀୟ ତଥା ରାଜ୍ୟର ସର୍ବକନିଷ୍ଠ ୱେବ୍‌ ଡିଜାଇନର ବୋଲି ନିଜକୁ ଦାବି କରିଛନ୍ତି। ଆୟୁଷ ଅନୁଗୋଳ ଜିଲା ଗଡ଼ମଣ୍ଡଳ ସରସ୍ବତୀ ଶିଶୁ ମନ୍ଦିରରେ ୭ମ ଶ୍ରେଣୀରେ ପାଠ ପଢ଼ନ୍ତି। ପାଠପଢ଼ା ସହ ସେ ୟୁଟ୍ୟୁବ୍‌ରୁ ୱେବ୍‌ ଡିଜାଇନିଂ ଶିଖୁଥିଲେ। ଏବେ ସେ ନିଜେ ୱେବ୍‌ ଡିଜାଇନ କରିବା ପାଇଁ ସମର୍ଥ ହୋଇଥିବା ପ୍ରକାଶ କରିଛନ୍ତି। ଦେବଗଡ଼ ଜିଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆର୍‌. ନ୍ୟୁଜ ଟ୍ରଷ୍ଟର ଇଂଲିଶ, ଓଡ଼ିଆ ୱେବ୍‌ ପୋର୍ଟାଲ ଏବଂ ୱେବ୍‌ ଚ୍ୟାନେଲକୁ ସେ ସଫଳତାର ସହ ନିର୍ମାଣ କରିପାରିଛନ୍ତି। ଖୁବଶୀଘ୍ର ସେ ନିଜର ଆଦ୍ୟାଶା ୱେବ୍‌ ସଲ୍ୟୁଶନ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏଥିପାଇଁ ଆୟୁଷ ଓଡ଼ିଶାର ରାଜ୍ୟପାଳଙ୍କ ଆଶୀର୍ବାଦ ଲୋଡ଼ି ପତ୍ର ଲେଖିଛନ୍ତି। ଏହାଛଡ଼ା ଏମ୍‌ଏସ୍‌ଏମ୍‌ଇ ମାଧ୍ୟମରେ ତାଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କେରଳର ଲକ୍ଷ୍ମୀ ସୁରେଶ ନାମକ ୮ବର୍ଷର ବାଳିକା ୱେବ୍‌ ଡିଜାଇନ କରି ଭାରତର ସର୍ବକନିଷ୍ଠ ଡିଜାଇନର ଭାବେ ପରିଚିତ ହୋଇଥିଲେ।

Share