Categories: ମେଟ୍ରୋ

ଜରୁରୀ ନ ଥିଲେ ବସ୍‌ ଯାତ୍ରା ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ସମ୍ପ୍ରତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଓଡ଼ିଶାରେ ମଧ୍ୟ ଜଣେ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜରୁରୀ ନ ଥିଲେ ମୋ’ ବସ୍‌ରେ ଯାତ୍ରା ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏ ନେଇ କ୍ରୁଟ୍‌ ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି, ଆମ ପାଇଁ ଆୟ ଅପେକ୍ଷା ଜନସାଧାରଣଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସମସ୍ତେ କରୋନା ଭାଇରସକୁ ନେଇ ଚିନ୍ତା ପ୍ରକଟ କରୁଥିବାବେଳେ କ୍ରୁ୍ରଟ୍‌ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଛି। ସାମାଜିକ ଦୂରତା ବଜାୟ ରଖିବା ଏବେ ଜରୁରୀ ହୋଇଥିବାରୁ କ୍ରୁଟ୍‌ ଏହି ପରାମର୍ଶ ଦେଇଛି। ସେହିପରି ବସ୍‌କୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ସହ ଯାତ୍ରୀଙ୍କ ସାନିଟାଇଜର ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବୋଥ୍ରା ସୂଚନା ଦେଇଛନ୍ତି।
ମୋ’ ବସ୍‌ରେ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଯାତାୟାତ କରିଥାନ୍ତି। କିନ୍ତୁ ୧୭ ତାରିଖରେ ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରଠୁ ମୋ’ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ସେବେଠାରୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୁଟ୍‌ରେ ସବୁଠୁ କମ୍‌ ଲୋକ ଯାତ୍ରା କରୁଛନ୍ତି। ଏବେ ଯାତ୍ରୀଙ୍କ ସଂଖ୍ୟା ହାରାହାରି ୭୦ ହଜାର ରହୁଛି ବୋଲି ବୋଥ୍ରା କହିଛନ୍ତି। ସେହିପରି ପ୍ରତିଦିନ ବସ୍‌କୁ ଧୁଆଯାଉଛି। ଦିନରେ ବସ୍‌ଗୁଡ଼ିିକ ଯାତ୍ରା ସାରିବା ପରେ ରାତି ୧୦ଟା ବେଳକୁ ନିଜ ନିଜ ଡିପୋରେ ପହଞ୍ଚୁଛନ୍ତି। ରାତି ୧୦ଟାରୁ ତା’ ପରଦିନ ଭୋର ୬ଟା ଭିତରେ ବସ୍‌କୁ ଧୁଆଯିବା ପରେ ପ୍ରତିଷେଧକ ସାନିଟାଇଜର ଦ୍ୱାରା ବିଶୋଧନ କରାଯାଉଛି। ଏହାପରେ ବସ୍‌ ଗନ୍ତବ୍ୟ ପଥରେ ବାହାରୁଛି। ବସ୍‌ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି। ସେମାନଙ୍କୁ ସଫାସୁତରା ରହିବାକୁ କୁହାଯାଇଛି। ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଆବଶ୍ୟକତା ପରିମାଣର ମାସ୍କ ଓଡ଼ିଶାରେ ଉପଲବ୍ଧ ହେଉନାହିଁ। ତଥାପି ୫୦%ରୁ ଅଧିକ ମୋ’ ବସ୍‌ଯାତ୍ରୀଙ୍କୁ ମାସ୍କ ପ୍ରଦାନ କରାଯାଇଛି। ଅଧିକ ମାସ୍କ ଉପଲବ୍ଧ କରିବା ପାଇଁ ବାହାର ରାଜ୍ୟ ସହ ଯୋଗାଯୋଗ କରାଯାଇଛି। କିଛି ଦିନ ମଧ୍ୟରେ ତାହା ରାଜ୍ୟରେ ଉପଲବ୍ଧ ହେବ ବୋଲି ବୋଥ୍ରା ପ୍ରକାଶ କରିଛନ୍ତି।

Share