ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ/ଗଞ୍ଜାମ,୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ମଙ୍ଗଳବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀଙ୍କ ଘର ସମେତ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ କହିଛନ୍ତି। ଅନ୍ୟପଟେ ପାଢ଼ୀ ବ୍ୟାଙ୍କ ଓ ବିଭିନ୍ନ ଲୋକଙ୍କଠାରୁ ଋଣ ଆଣିଥିବା ସୂଚନା ମିଳିଛି। ପାଢ଼ୀଙ୍କ ଗଞ୍ଜାମସ୍ଥିତ ୨ଟି ବାସଗୃହ ଓ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ଗଞ୍ଜାମରେ ଥିବା ପୈତୃକ ବାସଭବନ, ବ୍ରହ୍ମପୁର ଅଫିସ, ହିଲପାଟଣା ହରଭିନ ସ୍କୁଲ କୋଠା ଓ ମାର୍କେଟ କମ୍ପ୍ଲେକ୍ସ, ଖଲ୍ଲିକୋଟ ଡିମିରିଆଠାରେ ଥିବା ଫାର୍ମହାଉସ, ଆମ୍ବପୁଆଠାରେ ଥିବା ଫାର୍ମହାଉସ, ପଙ୍କାଳପଲିଠାରେ ଥିବା ଅର୍ଦ୍ଧନିର୍ମିତ ଗୃହ, ଜୟପ୍ରକାଶ ନଗରରେ ରହୁଥିବା ଠିକାଦାର ସଚିନ ପାଢ଼ୀ, ଗୋଶାଣିନୂଆଗାଁରେ ରହୁଥିବା ଠିକାଦାର ସୀମାଞ୍ଚଳ ପାତ୍ର, ଗୋଦାବରୀଶ ନଗରରେ ରହୁଥିବା ପାଢ଼ୀଙ୍କ ଭଣଜା ଅଶୋକ ପଣ୍ଡା, ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ବାସଗୃହ ଓ ନୟାପଲ୍ଲୀରେ ଥିବା ମେଟ୍ରୋ ରେସିଡେନ୍ସି ଫ୍ଲାଟ ୧୦୨/ ଏ ରେ ଚଢାଉ ଜାରି ରହିଛି ବୋଲି ଏସ୍‌ପି ସ୍ବାଇଁ କହିଛନ୍ତି।
ଚଢ଼ାଉ ସମୟରେ ଏଏସ୍‌ଆଇ ଡି.କେ. ପାଢ଼ୀ, ପି. ଛୋଟରାୟ, କନ୍‌ଷ୍ଟେବଳ ଉମା ଚରଣ ନାୟକ, ଦିଲ୍ଲୀପ ପ୍ରଧାନ, ନାରାୟଣ ସେଠୀ, ନିଲୁ ହୋତା ପ୍ରମୁଖ ଉପସ୍ଥିତ ଅଛନ୍ତି ।

Share