ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ରିଞ୍ଜା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କର୍ଲାମୁଣ୍ଡା,୨।୮ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଭବନରେ ଶୁକ୍ରବାର ଭୋରରୁ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ୍‌ ମହାନନ୍ଦଙ୍କ ନେତୃତ୍ୱରେ ସରପଞ୍ଚଙ୍କ ନିଜ ବାସଭବନ ଟକାରୁମାଲ ଓ ପୈତୃକ ଘର କୁଶୁର୍ଲା ତଥା ଟକାରୁମାଲ ସ୍କୁଲ ନିକଟରେ ଥିବା ମାର୍କେଟ କମ୍ପେକ୍ସ ଠାରେ ଥିବା ଦୋକାନଘରକୁ ଏକକାଳୀନ ତିନୋଟି ଟିମ୍‌ ଚଢ଼ାଉ କରୁଥିବା ଜଣାପଡିଛି। ଏ ନେଇ ଭିଜିଲାନ୍ସ ସତ୍ୟବାନ୍‌ ମହାନନ୍ଦଙ୍କୁ ପଚାରିବାରୁ ରିଞ୍ଜା ସରପଞ୍ଚଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଉକ୍ତ ଅଭିଯୋଗକୁ ଭିତ୍ତିକରି ଆମେ ତଦନ୍ତ କରୁଛୁ। ତଦନ୍ତରେ ୩ ଟ୍ରାକ୍ଟର, ୨ମୋଟରସାଇକେଲ, ଗୋଟିଏ କାର ଓ ମାର୍କେଟ କମ୍ପ୍ଲେକ୍ସ ରହିଥିବା ଜଣାପଡିଛି। ବର୍ତ୍ତମାନ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ସରପଞ୍ଚ ଭୋଜବନ୍ତୀ ସାହୁଙ୍କୁ ପଚାରିବାରୁ ରାଜନୈତିକ ଉଦ୍ଦେଶ୍ୟରଖି କିଛି ବ୍ୟକ୍ତି ମୋତେ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ଭିଜିଲାନ୍ସ ତଦନ୍ତକୁ ମୁଁ ସ୍ବାଗତ କରୁଛି ଯାହା ସତ୍ୟ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ଖବର ଲେଖା ହେବା ବେଳକୁ ତଦନ୍ତ ଜାରି ରହିଛି।