ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଜେଲ୍‌ ଗଲେ ସେସୁ ଅଧିକାରୀ

କଟକ ଅଫିସ, ୪ା୭: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପାରାଦୀପ ଡିଭିଜନ ଦାୟିତ୍ୱରେ ଥିବା କନିଷ୍ଠ ପରିଚାଳକ (ଅର୍ଥ) ଧନେଶ୍ୱର ସାହୁ ଜେଲ୍‌ ଯାଇଛନ୍ତି। ଭିଜିଲାନ୍ସ ସେଲ୍‌ ପକ୍ଷରୁ ସାହୁଙ୍କୁ ବୁଧବାର ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଭିଜିଲାନ୍ସ ସେଲ୍‌ ଥାନାରେ ଏକ ମାମଲା(ନଂ.୭/୨୦୧୯) ରୁଜୁ ହୋଇଛି। ସୂଚନାଥାଉ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଗତ ମଙ୍ଗଳବାର ସାହୁଙ୍କ ପାରାଦୀପଠାରେ ଥିବା ସରକାରୀ କ୍ବାର୍ଟର, ଅଫିସ, ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ଥିବା ଜେରୋଧା ବ୍ରୋକିଂ ଲିମିଟେଡ୍‌ର ଅଫିସ, କଟକ ଜିଲା କିଶନନଗର ଥାନା ଅଧୀନ ବରଦା ଗ୍ରାମରେ ଥିବା ଘର ଓ ମଙ୍ଗାଦେଇପୁର ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରକୁ ଭିଜିଲାନ୍ସ ଏକକାଳୀନ ଯାଞ୍ଚ କରିଥିଲା। ଯାଞ୍ଚରୁ ମୋଟ ୨ କୋଟି ୫୮ ଲକ୍ଷ ୯୬ହଜାର ୮୧୩ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଠାବ ସମ୍ପତ୍ତିଗୁଡ଼ିକ ମଧ୍ୟରେ ସାହୁ ଶେୟାର ମାର୍କେଟରେ ୨ କୋଟି ୧୪ଲକ୍ଷ ୫୮ହଜାର ୬୬୦ ଟଙ୍କା ଜମା ରଖିଥିବା ଜଣାପଡ଼ିଛି।

Share