ଇଂରେଜ ଅମଳର କୂଟନୀତି ଉପରେ ଶକ୍ତ ପ୍ରହାର

ପୁରୀ ଅଫିସ, ୬ା୮: ଦୀର୍ଘବର୍ଷ ଧରି ଅନୁଚ୍ଛେଦ ୩୭୦କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଛି ଅନୁଚ୍ଛେଦ ୩୭୦। ଏହାକୁ ନେଇ ଦେଶବ୍ୟାପୀ ଖୁସିର ଲହରି ଖେଳି ଯାଇଥିବାବେଳେ ଏ ପ୍ରସଙ୍ଗରେ ମତ ରଖିଛନ୍ତି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସୋମବାର ପୀଠ ପରିସରରେ ଗଣମାଧ୍ୟମକୁ ସୂଚନା ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି, ଏହାଦ୍ୱାରା ଇଂରେଜ ଅମଳର କୂଟନୀତି ଆଇନ ଉପରେ ଶକ୍ତ ପ୍ରହାର ହୋଇଛି। ଇଂରେଜମାନଙ୍କ କୁଟନୀତି ଯୋଗୁ ପ୍ରଥମେ ଭାରତରୁ ଆଫଗାନିସ୍ତାନକୁ ଓ ପରେ ବର୍ମା ଏବଂ ଶ୍ରୀଲଙ୍କାକୁ ଅଲଗା କରାଗଲା। ଏହାପରେ ପାକିସ୍ତାନ ଗଠନ କରାଯାଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନ କରିଥିଲେ ଇଂରେଜ। ତେଣୁ ଅଖଣ୍ଡ ଭାରତ ଗଠନ ପାଇଁ ଏଭଳି ଧାରା ଉଚ୍ଛେଦର ଯଥେଷ୍ଟ ଆବଶ୍ୟକତା ଥିଲା। କୌଣସି ପାର୍ଟି ବା ଦଳକୁ ପଛରେ ରଖି ଭାରତ ପାଇଁ କାମ କରିବା ଦରକାର ବୋଲି ଆହ୍ବାନ ଦେଇଛନ୍ତି ଶଙ୍କରାଚାର୍ଯ୍ୟ।
୩୭୦ ଅନୁଚ୍ଛେଦ ଉଚ୍ଛେଦ ଉପରେ ଅଧିକ ଟିପ୍ପଣୀ ରଖି ଶଙ୍କରାଚାର୍ଯ୍ୟ କହିଛନ୍ତି, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଶାସନକାଳରେ ୩୭୦ ଅନୁଚ୍ଛେଦକୁ କ୍ରିୟାନି୍ବତ କରାଯାଇଥିଲା। କିନ୍ତୁ ସ୍ଥାୟୀ ଭାବେ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ପରେ ରାଜନେତାମାନେ ଏହି ଧାରାକୁ ଗୁରୁତ୍ୱ ଦେଇ ଷଡ଼ଯନ୍ତ୍ର ରଚିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହିନ୍ଦୁତ୍ୱ, ରାଷ୍ଟ୍ର ଓ ଅଖଣ୍ଡତା ପ୍ରତି ଭରସା ରଖିଥିଲେ। ଭଗବତ କୃପାରୁ ଇଂରେଜଙ୍କ କୁଟନୀତି ଉପରେ ଆଜି ଶକ୍ତ ପ୍ରହାର ହୋଇଛି। ଏଭଳି ପଦକ୍ଷେପକୁ ଦେଶବସୀ ବହୁ ପୂର୍ବରୁ ଅପେକ୍ଷା କରିଥିଲେ। ତେବେ ସର୍ବୋତ୍କୃଷ୍ଟ ଭାରତ ଗଠନ ହେଲେ ବିଶ୍ୱ ସମୁଦାୟକୁ ବୈଦିକ ଜ୍ଞାନ କ୍ଷେତ୍ରରେ ଭାରତ ପଥ ପ୍ରଦର୍ଶକ ସାଜିବ ବୋଲି ଶଙ୍କରାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି।

Share