Categories: ଖେଳ

ଇଂଲଣ୍ଡକୁ ଜିତାଇଲେ ଷ୍ଟୋକ୍ସ

ଲିଡ୍ସ, ୨୫ା୮ (ଏଏଫ୍‌ପି)-ସ୍ଥାନୀୟ ହେଡିଙ୍ଗ୍‌ଲେଠାରେ ଅନୁଷ୍ଠିତ ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟିଛି। ବେନ୍‌ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି। ଇଂଲଣ୍ଡ ୩୫୯ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ଷ୍ଟୋକ୍ସ ଓ ଜନି ବେୟାରଷ୍ଟୋ (୩୬)ଙ୍କ ମଧ୍ୟରେ ୫ମ ଉଇକେଟରେ ମହତ୍ତ୍ୱପୂର୍ଣ୍ଣ ୮୬ ରନର ପାର୍ଟନରଶିପ୍‌ ହୋଇଥିଲା। ମାତ୍ର ଏହି ଯୋଡ଼ିକୁ ଜୋସ୍‌ ହାଜେଲଉଡ୍‌ ଭାଙ୍ଗି ଦେଇଥିଲେ। ସେ ବେୟାରଷ୍ଟୋଙ୍କୁ ମାର୍ନସ ଲବୁସ୍କେନ୍‌ଙ୍କ ଦ୍ୱାରା କ୍ୟାଚ ଆଉଟ କରିଦେଇଥିଲେ। ଷ୍ଟୋକ୍ସ ଗୋଟିଏ ପାର୍ଶ୍ୱରେ କ୍ରିଜ୍‌ରେ ଜମି ରହିଥିବାବେଳେ ଅନ୍ୟପଟେ ଜଣକ ପରେ ଜଣେ ଶୀଘ୍ର ଆଉଟ ହୋଇ ପ୍ୟାଭିଲିୟନକୁ ଫେରିବାରେ ଲାଗିଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋସ୍‌ ବଟଲର ଏବଂ କ୍ରିସ୍‌ ଓକ୍ସ ମାତ୍ର ୧ ରନ ଲେଖାଏ କରିଥିଲେ। ଜୋଫ୍ରା ଆର୍ଚର ୧୫ରନ କରିଥିବାବେଳେ ଷ୍ଟୁଆର୍ଟ ବ୍ରଡ୍‌ ବିନା କୌଣସି ରନରେ ଜେମ୍ସ ପ୍ୟାଟିିନସନଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଷ୍ଟୋକ୍ସ ଏବଂ ଜ୍ୟାକ ଲିଚ୍‌ (୧*)ଙ୍କ ମଧ୍ୟରେ ଅନ୍ତିମ ଉଇକେଟରେ ୯୬ ରନର ଅପରାଜିତ ପାର୍ଟନରଶିପ୍‌ ହୋଇଥିଲା। ଷ୍ଟୋକ୍ସ ତାଙ୍କ ଅପରାଜିତ ଲଢୁଆ ଇନିଂସରେ ୨୧୯ ବଲ୍‌ ସମ୍ନା କରିଥିଲେ। ସେ ୧୧ ଚୌକା ଓ ୮ ଛକା ଲଗାଇଥିଲେ। ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସରେ ୯ ଉଇକେଟ ହରାଇ ୩୬୨ ରନ କରି ମ୍ୟାଚ ଜିତି ନେଇଥିଲା।
ରବିବାର ପୂର୍ବଦିନର ଅସମାପ୍ତ ସ୍କୋର ୧୫୬/୩ରୁ ଖେଳ ଆରମ୍ଭ କରିଥିଲା। ପ୍ରଥମ ସେସନ ଖେଳରେ ଅଷ୍ଟ୍ରେଲିଆର ୪ଜଣିଆ ପେସ୍‌ ବାହିନୀ ନୂଆ ବଲ୍‌ରେ ଇଂଲଣ୍ଡକୁ ବିଶେଷ କ୍ଷତି ପହଞ୍ଚାଇ ପାରି ନ ଥିଲେ। ସେମାନେ କେବଳ ଗୋଟିଏ ଉଇକେଟ ପତନ ଘଟାଇ ପାରିଥିଲେ। ମଧ୍ୟାହ୍ନଭୋଜନ ଖେଳ ସୁଦ୍ଧା ଘରୋଇ ଦଳ ପୂର୍ବଦିନରୁ ୭୫ରନ କରି ଅପରାଜିତ ରହିଥିବା ଅଧିନାୟକ ଜୋ ରୁଟ୍‌ଙ୍କ ଉଇକେଟ ହରାଇଥିଲା। ରୁଟ୍‌ ମାତ୍ର ୨ ରନ ଯୋଗକରି ନାଥାନ ଲିଅନଙ୍କ ବଲ୍‌କୁ ଲେଗ୍‌ ସାଇଡ୍‌ରେ ଖେଳିବାକୁ ଯାଇ ଡେଡିଡ୍‌ ଓ୍ବାର୍ନରଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୧୭୯
ଇଂଲଣ୍ଡ ପ୍ରଥମ ଇନିଂସ: ୬୭
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୨୪୬
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୬୨/୯ (ବେନ୍‌ ଷ୍ଟୋକ୍ସ-୧୩୫*, ଜୋ ରୁଟ୍‌-୭୭, ଜୋ ଡେନ୍‌ଲୀ-୫୦, ଜନି ବେୟାରଷ୍ଟୋ-୩୬, , ଜୋସ୍‌ ହାଜେଲଉଡ୍‌-୪/୮୫, ନାଥାନ ଲିଅନ୍‌-୨/୧୧୪)

Share