Categories: ଖେଳ

ଇଂଲଣ୍ଡ ଅଧିନାୟକ ପଦ ଛାଡ଼ିପାରନ୍ତି ମୋର୍ଗାନ

ଲଣ୍ଡନ,୧୭।୮- ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ପଦ ଛାଡ଼ିବା ନେଇ ଚିନ୍ତା କରୁଛନ୍ତି। ତାଙ୍କ ଅଣ୍ଟାଜନିତ ଆହତ ସମସ୍ୟା ଯୋଗୁ ସେ ଏଭଳି ଚିନ୍ତା କରୁଥିବା କହିଛନ୍ତି। ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଗତ ମାସରେ ସଂଘର୍ଷପୂର୍ଣ୍ଣ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍‌ ଜିତି ଇତିହାସ ସୃଷ୍ଟି କରିଥିଲା। ଏହି ମେଗା ଇଭେଣ୍ଟ ପରେ ସେ ମିଡ୍‌ଲଏକ୍ସ ପାଇଁ ୪ ଟି୨୦ ମ୍ୟାଚ୍‌ ଖେଳିଥିଲେ। ହେଲେ ଅଣ୍ଟା ସମସ୍ୟା ଯୋଗୁ ସସକ୍ସେ ବିପକ୍ଷ ମ୍ୟାଚ୍‌ରୁ ତାଙ୍କୁ ଓହରିବାକୁ ପଡ଼ିଥିଲା। ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ। ହେଲେ ଯଥେଷ୍ଟ ସମୟ ପୂର୍ବରୁ ଫିଟ୍‌ ହୋଇ ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ୭୧ ବଲରୁ ୧୪୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ବିବିସିକୁ ଏକ ସାକ୍ଷାତ୍‌କାର ଦେଇ ମୋର୍ଗାନ କହିଛନ୍ତି, ଏହା ଶାରୀରିକ ସମସ୍ୟା। ମୋତେ ଫିଟ୍‌ ହେବା ପାଇଁ ସମୟ ଲାଗିବ। ମୁଁ ଅଧିନାୟକ ଭାର ନେବାକୁ ଚାହେଁ। କିନ୍ତୁ ମୋତେ ପ୍ରଥମେ ମୋ ଶରୀର କଥା ଚିନ୍ତା କରିବାକୁ ପଡ଼ିବ। ଏଥିଯୋଗୁ ନେତୃତ୍ୱ ଛାଡ଼ିବା ପାଇଁ ମୁଁ ଚିନ୍ତା କରୁଛି। ନିଷ୍ପତ୍ତି ନେବା ପାଇଁ ମୋତେ ଆହୁରି ସମୟ ଦରକାର। କାରଣ ଏହା ଏକ ବଡ଼ ନିଷ୍ପତ୍ତି।

Share