Categories: ଖେଳ

ଇଂଲଣ୍ଡ ଆସେସ୍‌ ଦଳରେ ଆର୍ଚର

ଲଣ୍ଡନ,୨୭।୭- ଆସନ୍ତା ସପ୍ତାହରେ ଏଜବାଷ୍ଟନ୍‌ଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଲାଗି ଶନିବାର ଇଂଲଣ୍ଡ ଦଳ ଘୋଷଣା ହୋଇଛି। ଏହି ଦଳରେ ସ୍ଥାନ ପାଇଛନ୍ତି ପେସର ଜୋଫ୍ରା ଆର୍ଚର। ସେ ଦଳ ପାଇଁ ବିଶ୍ୱକପ୍‌ ଫାଇନାଲରେ ସୁପର ଓଭର ଚମତ୍କାର ବୋଲିଂ କରି ୧୬ ରନ୍‌ର ଟାର୍ଗେଟକୁ ଡିଫେଣ୍ଡ କରିଥିଲେ। ଏପର୍ଯ୍ୟନ୍ତ ସେ କ୍ରିକେଟର ଲମ୍ବା ଫର୍ମାଟରେ ପଦାର୍ପଣ କରିନାହାନ୍ତି। ବେନ୍‌ ଷ୍ଟୋକ୍ସ ଓ ଜସ୍‌ ବଟଲର ଦଳକୁ ଫେରିଛନ୍ତି। ଉଭୟଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଷ୍ଟୋକ୍ସଙ୍କୁ ପୁଣି ଥରେ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଲୁଇସ ଗ୍ରେଗୋରି ଓ ଜ୍ୟାକ ଲିଚ୍‌ ଦଳରେ ସ୍ଥାନ ପାଇନାହାନ୍ତି। ଅନ୍ୟପକ୍ଷରେ ଆର୍ଚର ବର୍ମିଂହାମଠାରେ ଟେଷ୍ଟ ପଦାର୍ପଣ କରିବା ନେଇ ଅନିଶ୍ଚିତତା ଜାରି ରହିଛି। ସେ ଏବେ ମାଂସପେଶୀ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ବ୍ୟତୀତ ଜେମ୍ସ ଆଣ୍ଡରସନ ଆହତ ସମସ୍ୟା ସତ୍ତ୍ୱେ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟ ବୋଲରଙ୍କ ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍‌, ଓଲି ଷ୍ଟୋନ ଓ ସାମ କୁରାନ ରହିଛନ୍ତି। ମୋଏନ ଅଲି ଏକମାତ୍ର ସ୍ପିନର ଭାବେ ଦଳରେ ମନୋନୀତ ହୋଇଛନ୍ତି। ଗତ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦଳ ୮୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯିବା ସତ୍ତ୍ୱେ ଦଳର ବ୍ୟାଟିଂ ଲାଇନ୍‌ ଅଫ୍‌ରେ କୌଣସି ବଡ଼ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ମୁଖ୍ୟ ଚୟନକର୍ତ୍ତା ଇଡି ସ୍ମିଥ କହିଛନ୍ତି।

Share