Categories: ଫୁରସତ

ଇଂଲିଶ୍‌ର ସବୁଠାରୁ ଲମ୍ବା ଶବ୍ଦ: ଉଚ୍ଚାରଣ କରିବାକୁ ଲାଗେ ସାଢ଼େ ୩ ଘଣ୍ଟା

ନ୍ୟୁୟର୍କ,୧୦।୨: ସାଧାରଣତଃ କେତେକ ଇଂଲିଶ୍‌ ଶବ୍ଦକୁ ଉଚ୍ଚାରଣ କରିବାରେ ଅସୁବିଧା ହୋଇଥାଏ। ଚେକୋସ୍ଲୋଭାକିଆ ଭଳି ଶବ୍ଦ ଉଚ୍ଚାରଣକାରୀଙ୍କୁ ଅସୁବିଧାରେ ପକାଇଥାଏ। ତେବେ ଇଂଲିଶ୍‌ରେ ଏଭଳି ଏକ ଶବ୍ଦ ରହିଛି ଯାହାକୁ ଉଚ୍ଚାରଣ କରିବା ଲାଗି ସାଢ଼େ ୩ ଘଣ୍ଟା ଲାଗିଥାଏ। ଏହି ଶବ୍ଦରେ ଲକ୍ଷେ ୮୯ ହଜାର ୮ ଶହ ୧୯ଟି ଇଂଲିଶ୍‌ ଅକ୍ଷର ରହିଛି। ମଣିଷ ଶରୀରରେ ଥିବା ଟିଟିନ୍‌ ନାମକ ଏକ ପ୍ରୋଟିନ୍‌ର ଏହା ହେଉଛି ରାସାୟନିକ ନାମ। ବୈଜ୍ଞାନିକଙ୍କ ଅନୁସାରେ ମଣିଷ ଶରୀରରେ ପ୍ରାୟ ୨୦ ଲକ୍ଷରୁ ଅଧିକ ସଂଖ୍ୟକ ପ୍ରୋଟିନ୍‌ ରହିଛି। ପ୍ରୋଟିନ୍‌ ଆମିନୋ ଏସିଡ୍‌ରୁ ତିଆରି ହୋଇଥାଏ। ଶହେରୁ ଅଧିକ ଆମିନୋ ଏସିଡ୍‌ ଅଣୁ ମିଳିତ ହେଲେ ଗୋଟିଏ ପ୍ରୋଟିନ୍‌ ଅଣୁ ତିଆରି ହୋଇଥାଏ। ଟିଟିନ୍‌ରେ ୨୬ ହଜାରରୁ ଅଧିକ ଆମିନୋ ଏସିଡ୍‌ ଅଣୁ ରହିଛି। ତେଣୁ ଏହାର ରାସାୟନିକ ନାମ ଏତେ ଲମ୍ବା ହୋଇଛି। ପ୍ରଥମେ ଟିଟିନ୍‌ର ରାସାୟନିକ ନାମକୁ ଇଂଲିଶ୍‌ ଶବ୍ଦକୋଷରେ ରଖାଯାଇଥିଲା। ତେବେ ପଢ଼ିବାରେ ଅସୁବିଧା ହେବାରୁ ଏହାକୁ ହଟାଇ ଦିଆଯାଇଥିଲା। ଟିଟିନ୍‌ ପ୍ରୋଟିନ୍‌ ସମ୍ପର୍କରେ ୧୯୫୪ରେ ଜଣାପଡ଼ିଥିଲା। ଏହା ବିଷୟରେ ବୈଜ୍ଞାନିକ ରେଜି ନଟୋରି ପ୍ରଥମେ ସୂଚନା ଦେଇଥିଲେ। ୧୯୭୭ରେ ବୈଜ୍ଞାନିକ କୋସ୍ସକ୍‌ ମରୁୟାମା ଏବଂ ତାଙ୍କ ସହଯୋଗୀ ଟିଟିନ୍‌ ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରିଥିଲେ। ଏହାର ନାମ କରଣ କୋନେକ୍ଟିନ୍‌ ଭାବେ କରିଥିଲେ। ୨ ବର୍ଷ ପରେ ବୈଜ୍ଞାନିକ କୁଆନ୍‌ ଓ୍ବାଙ୍ଗ୍‌ ଏହାର ନାମକରଣ ଟିଟିନ୍‌ ଭାବେ କରିଥିଲେ।

Share