ଇକୋ-ଟୁରିଜମ ସ୍ଥଳୀ ଭାବେ ବିକଶିତ ହେବ ୭ ସ୍ଥାନ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଚାନ୍ଦିପୁର, ଚିତ୍ରକୋଣ୍ଡା, ସତୀଗୁଡା, କୋରାପୁଟ, ଟେନ୍‌ସା, ନୂଆପଡ଼ାର ପାତ୍ରୋଡା ଡ୍ୟାମ୍‌ ଏବଂ ବରଗଡ଼ର ନୃସିଂହନାଥ ଆଦି ୭ଟି ସ୍ଥାନକୁ ନୂଆ ଇକୋ-ଟୁରିଜମ ସ୍ଥଳୀଭାବେ ବିକଶିତ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିସବୁ ସ୍ଥାନକୁ ପ୍ଲାଷ୍ଟିକ ମୁକ୍ତ ରଖିବା ଏବଂ ସେଠାରେ ପରିମଳ ବ୍ୟବସ୍ଥାକୁ ଠିକ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଇକୋ-ଟୁରିଜମ୍‌ ସ୍ଥାନଗୁଡିକରେ ପର୍ଯ୍ୟଟକଙ୍କ ଆଗମନ ଓ ରାଜସ୍ବ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ର୍ରଗତି ହାସଲ ହେଉଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୁଧବାର ଆଲୋଚନା ହୋଇଥିବା ଇକୋ-ଟୁରିଜମ ପରିଷଦ ବୈଠକରୁ ଏହା ଜଣାପଡିଛି। ପରିବେଶ ପର୍ଯ୍ୟଟନ ସ୍ଥଳୀ ନିକଟରେ ହୋମ୍‌-ଷ୍ଟେ ନିୟାମକ ତିଆରି କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ କହିଛନ୍ତି। ଏହି ସ୍ଥାନଗୁଡ଼ିକରେ ପକ୍ଷୀ ପର୍ଯ୍ୟବେକ୍ଷଣ, କ୍ରୀଡ଼ା, ଟ୍ରେକିଂ, ବନ୍ୟଜନ୍ତୁ ଦର୍ଶନ, ସାଇକେଲ ଚାଳନା, ବୋଟିଂ, ଜଙ୍ଗଲ ସଫାରୀ, ଫଟୋଚିତ୍ର ସଂଗ୍ରହ ଏବଂ ଫାର୍ମ ପରିଦର୍ଶନ ଆଦି ସୁବିଧା ଘରୋଇ ଏବଂ ସରକାରୀ ଭାଗୀଦାରିତାରେ ସୃଷ୍ଟି ଲାଗି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ରାଜ୍ୟର ଇକୋ-ଟୁରିଜମ ଏବଂ ପରମ୍ପରା-ଟୁରିଜମ ସ୍ଥଳୀକୁ ମିଶାଇ ୩ରୁ ୫ ଦିନିକିଆ ପର୍ଯ୍ୟଟନ ପ୍ୟାକେଜ ପ୍ରସ୍ତୁତ କରିବା ନିମନ୍ତେ ଉନ୍ନୟନ କମିଶନ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବଣପ୍ରାଣୀ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ କହିଛନ୍ତି, ରାଜ୍ୟରେ ୪୦ଟି ଇକୋ-ଟୁରିଜମ ସ୍ଥଳୀ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଏସବୁ ସ୍ଥାନରେ ପ୍ରାୟ ୩୦୦ କୋଠରି ଏବଂ ଟେଣ୍ଟ ଆଦିର ସୁବିଧା ସୃଷ୍ଟି କରାଯାଇଛି। ଏଠାରେ ୮୦୦ ଲୋକ ରାତ୍ରି ରହଣିର ବ୍ୟବସ୍ଥା କରାଯାଇଛି।

Share