ଇକୋ ଭିଲେଜ ପାଇଁ ସଜେଇହେଲା ମୁଦୁଲିଗାଡ଼ିଆ :ଗାଁରେ ରହି ମଜ୍ଜା ଉଠାଇବେ ପର୍ଯ୍ୟଟକ

ଗଣିଆ,୩ା୧୧(ଡି.ଏନ.ଏ.): ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳର ମୁଦୁଲିଗାଡିଆ ଗ୍ରାମକୁ ବନ୍ୟପ୍ରାଣୀ ବନ ବିଭାଗ ଦ୍ୱାରା ଇକୋ ଭିଲେଜରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରହିଛି ା ଏଥିପାଇଁ ବିଭାଗ ତରଫରୁ ଗ୍ରାମକୁ ରଙ୍ଗବେରଙ୍ଗରେ ସଜେଇବା ଆରମ୍ଭ ହୋଇଛି ା ପ୍ରତି ପରିବାରର ଘରଗୁଡିକୁ ଗେରୁଆ ଓ ଧଳା ରଙ୍ଗ କରାଯିବା ସହ କାନ୍ଥଗୁଡିକରେ ନାନା ପ୍ରକାର ଝୋଟି ଚିତ୍ର କରାଯାଇଛି ା ପ୍ରତ୍ୟହ ସକାଳୁ ଗ୍ରାମର ମା’ ସାତଭଉଣୀ ପରିବେଶ ବିକାଶ ସମିତି ସଭ୍ୟାମାନଙ୍କ ଦ୍ୱାରା ଗାଁ ପରିବେଶ ସଫାସୁତରା କରାଯିବା ସହ ଘର ଅଗଣାକୁ ଗୋବରରେ ଲିପି ସୁନ୍ଦର ଭାବେ ସଜାଯାଉଛି। ଗ୍ରାମରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବନ୍ଦ କରିବା ସହ ପଲିଥିନ୍‌ ମୁକ୍ତ ପରିବେଶ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଗ୍ରାମର କୋଠଘର ଓ ସାମୂହିକ ଅନୁଷ୍ଠାନଗୁଡିକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି। ତେବେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳର ସାଉଥ୍‌ ବଡମୂଳ ମଙ୍ଗାନାସୀଠାରେ ଥିବା ଇକୋ ଟୁରିଜିମ୍‌ ସ୍ୟାଣ୍ଡ ରିସୋର୍ଟକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଇକୋ ଭିଲେଜର ସୁନ୍ଦର ପରିବେଶରେ ବୁଲି ମଜ୍ଜା ଉଠାଇପାରିବେ ବୋଲି ଗ୍ରାମ୍ୟ ପରିବେଶ ବିକାଶ ସମିତି ତରଫରୁ କୁହାଯାଇଛି। ଆବଶ୍ୟକସ୍ଥଳେ ସାତକୋଶିଆ ପର୍ଯ୍ୟଟନ କେନ୍ଦ୍ରକୁ ବୁଲିଆସୁଥିବା ପର୍ଯ୍ୟଟକମାନେ ଇକୋ ଭିଲେଜରେ ଦେଶୀ ଖାଦ୍ୟ ଖାଇବା ସହ ରାତ୍ର ରହଣିର ବ୍ୟବସ୍ଥା ମଧ୍ୟ କରାଯାଉଛି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୩୬ଟି ଗ୍ରାମକୁ ଇକୋ ଭିଲେଜରେ ପରିଣତ କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ତରଫରୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମଥର ପାଇଁ ମୁଦୁଲିଗାଡିଆ ଗ୍ରାମକୁ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇ କାର୍ଯ୍ୟ ଆରମ୍ଭ ହୋଇଛି ା ତେବେ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ଏହି ଇକୋ ଭିଲେଜ ନିର୍ମାଣ କରିବା ଓଡ଼ିଶାରେ ପ୍ରଥମ ବୋଲି ସମ୍ପୃକ୍ତ ବିଭାଗ ତରଫରୁ ସୂଚନା ମିଳିଛି ା ବିଗତ ୫ବର୍ଷ ଧରି ଏହି ଗ୍ରାମ ନିକଟରେ ଥିବା ମଙ୍ଗାନାସୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ପ୍ରତି ଆକୃଷ୍ଟ ହୋଇ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ା

Share