ଇକୋ ରିଟ୍ରିଟ୍‌ ମହୋତ୍ସବରେ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ

କୋଣାର୍କ,୧୬ା୧(ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗର ସାହୁଖଣତାଠାରେ ଅନୁଷ୍ଠିତ ଇକୋ ରିଟ୍ରିଟ ମହୋତ୍ସବ ସ୍ଥଳୀରେ ବୁଧବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତରାୟନ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟଙ୍ଗ୍‌ ଇଣ୍ଡିଆନ୍‌ସ ଓଡ଼ିଶା ଶାଖା ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଶତାଧିକ ପର୍ଯ୍ୟଟକ ଓ ଜନସାଧାରଣ ଯୋଗଦେଇ ସମୁଦ୍ର କୂଳରେ ରଙ୍ଗ ବେରଙ୍ଗର ଗୁଡ଼ି ଉଡ଼ାଇ ମଜାନେଇଥିଲେ। ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ା ପରମ୍ପରା ଅତି ପୁରୁଣା ଓ ଓଡ଼ିଆ ସଂସ୍କୃତିର ଏକ ମାଇଲ ଖୁଣ୍ଟ ସଦୃଶ। ଏହି ପରମ୍ପରା ବର୍ତ୍ତମାନ ବିଲୁପ୍ତ ହେବାକୁ ଯାଉଥିବାବେଳେ ୟଙ୍ଗ ଇଣ୍ଡିଆନ୍‌ସ ଦ୍ୱାରା ଆୟୋଜିତ ଏହି ଗୁଡ଼ିଉଡ଼ା ଇକୋ ରିଟ୍ରିଟ ମହୋତ୍ସବକୁ ବିଶେଷ ଭାବେ ଗୁରୁତ୍ୱ ବହନ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି। ଏହି ଅବସରରେ ସମୁଦ୍ର କୂଳରେ ଆୟୋଜିତ ସଂଗଠନ ପକ୍ଷରୁ ପର୍ଯ୍ୟଟକମାନେ ଗୁଡି ଉଡେଇବା ଲକ୍ଷ୍ୟରେ ଷ୍ଟଲମାନ ଖୋଲାଯାଇଥିଲା। ଗୁଡ଼ିଗୁଡିକ ପ୍ରାୟ ୨୦ଟଙ୍କାରୁ ଆରମ୍ଭ ହୋଇ ୨୦୦ଟଙ୍କା ପର୍ଯ୍ୟନ୍ତ ଥିଲା। ଦିନତମାମ ଓ ରାତିରେ ଏଲ୍‌ଇଡି ଗୁଡ଼ି ଉଡାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁମ୍ବାଇରୁ ୧୦ଜଣିଆ ଗୁଡିଉଡା ବିଶେଷଜ୍ଞ ଯୋଗଦେଇଥିଲେ ା ଓଡ଼ିଶାରେ ଏହି ଗୁଡ଼ିଉଡ଼ା ଉତ୍ସବ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବାବେଳେ ପୁରୁଣା ସଂସ୍କୃତି ଆଡ଼କୁ ପର୍ଯ୍ୟଟକ ଓ ଜନସାଧାରଣଙ୍କୁ ଆକୃଷ୍ଟ କରିବା,ଐତିହ୍ୟ ପ୍ରତି ଯୁବଗୋଷ୍ଠୀଙ୍କୁ ସଚେତନ କରାଇବା ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ୟଙ୍ଗ ଇଣ୍ଡିଆନ୍‌ସ ସଂଗଠନର ଅଧ୍ୟକ୍ଷ କମଲ ଅଗ୍ରୱାଲ, ଉପାଧ୍ୟକ୍ଷା ରଶ୍ମି ଗୁପ୍ତା କହିଛନ୍ତି।

Share