Categories: ରାଜ୍ୟ

ଇଚ୍ଛାପୁରସ୍ଥ ସ୍ନାନମଣ୍ଡପରେ ଶ୍ରୀବଳଦେବଜୀଉ

କେନ୍ଦ୍ରାପଡ଼ା ଅଫିସ, ୧୭ା୬: ସୋମବାର ଦେବସ୍ନାନ ପୂର୍ଣ୍ଣିମା। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ଆରମ୍ଭ ହୋଇଛି। ସ୍ନାନପୂର୍ଣ୍ଣିମା ଉପଲକ୍ଷେ ରବିବାର ରାତିରେ ବଡ଼ସିଂହାର ବେଶ ପରେ ୩ଠାକୁର ଚକା(ରନତ୍ ସିଂହାସନ) ଛାଡ଼ିଥିଲେ। ଏହି ସମୟରେ ଶ୍ରୀଜୀଉମାନଙ୍କୁ ଓଲାଗି କରାଯାଇଥିଲା। ଏହା ପୂର୍ବରୁ ମନ୍ଦିର ବେଢ଼ା ମଧ୍ୟସ୍ଥ ବାମ୍ପିରୁ ସେବାୟତମାନେ ୧୦୮ କଳସ ପବିତ୍ର ଜଳ ସଂଗ୍ରହ କରିଥିଲେ। ଏହାକୁ ରାଜ ପୁରୋହିତଙ୍କ ଦ୍ୱାରା ଅଭିମନ୍ତ୍ରିତ କରାଯିବା ସହିତ ହରିଡ଼ା, ଯବ, ଚନ୍ଦନ, ଯାଇଫଳ ଇତ୍ୟାଦି ଓଷଧୀୟ ଦ୍ରବ୍ୟ ଓ ସୁଗନ୍ଧିତ ଅତର ଏହି ଜଳ କଳସରେ ମିଶ୍ରଣ କରାଯାଇ ମୁକ୍ତିମଣ୍ଡପରେ ରଖାଯାଇଥିଲା। ଏହି ଅବସରରେ ଠାକୁରମାନଙ୍କୁ ରନତ୍ ସିଂହାସନରୁ ଅଣାଯାଇ ମନ୍ଦିର ଭୋଗ ମଣ୍ଡପରେ ବିଜେ ପଣ୍ଡାଙ୍କ ଦ୍ୱାରା ସେନାପଟା ବେଶରେ ସଜ୍ଜିତ କରାଯାଇଥିଲା। ପ୍ରତ୍ୟୁଷରୁ ରାଜ ପୁରୋହିତଙ୍କ ପୁଷ୍ପାଞ୍ଜଳି ନୀତି ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କୁ ରାଜଭେଟି ଅର୍ପଣ କରାଯାଇଥିଲା। ପରେ ୩ ଠାକୁରଙ୍କ ଡୋରି ଫିଟାଯାଇ ଧାଡ଼ି ପହଣ୍ଡିରେ ସ୍ନାନବେଦିକୁ ବିଜେ କରାଯାଇଥିଲା। ଶ୍ରୀଜୀଉମାନଙ୍କୁ ପୂର୍ବ ରାତିରୁ ସଂଗୃହୀତ ହୋଇ ରହିଥିବା ଅଭିମନ୍ତ୍ରିତ ୧୦୮ କଳସ ଜଳ ମହାପ୍ରଭୁଙ୍କ ଶ୍ରୀଚରଣରେ ଲାଗି କରାଯାଇଥିଲା। ଏହି ଅବସରରେ ପାରମ୍ପରିକ ପୂଜା ନୀତି ଅନୁଯାୟୀ ଚନ୍ଦନ ସ୍ନାନ କରାଯାଉଛି। ଅପରାହ୍ନ ୧ଟାରେ ଶ୍ରୀଜୀଉଙ୍କୁ ମଙ୍ଗଳାର୍ପଣ କରାଯାଇ ଖେଚୁଡ଼ି ଧୂପ ସ୍ନାନବେଦି ଉପରେ ସମ୍ପନ୍ନ ହୋଇ ଶ୍ରୀବଳଦେବଜୀଉ ଓ ଶ୍ରୀଜଗନ୍ନାଥଙ୍କୁ ଗଜାନନ ବେଶ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ା ଶ୍ରୀଜୀଉଙ୍କ ଏହି ନୀତି ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିିଛି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share